ବେଙ୍ଗାଲୁରୁ: ଆଇପିଏଲ ୨୦୨୩ର ୩୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଚଳିତ ସଂସ୍କରଣରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଆଜି ଆରସିବିର କମାଣ ସମ୍ଭାଳିଥିଲେ ବିରାଟ କୋହଲି । ତେବେ ଏହି ମ୍ୟାଚ୍ରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୯ ରନ କରିଥିବା ବେଳେ ୧୮୨ ରନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ରାଜସ୍ଥାନ । ଫଳରେ ୭ ରନରେ ଏହି ମୁକାବିଲାକୁ ଜିତି ନେଇଛି RCB ।
ବାଙ୍ଗାଲୋରର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା RCBକୁ ପ୍ରଥମ ବଲରୁ ହିଁ ଝଟକା ଲାଗିଥିଲା । ଅଧିନାୟକ ବିରାଟ କୋହଲି ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ଏଲବି ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ତୁରନ୍ତ ଶେହବାଜ ଅହମ୍ମଦ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ଡୁପ୍ଲେସିସ ଓ ମାକ୍ସୱେଲଙ୍କ ମଧ୍ୟରେ ହୋଇଥିବା ଶତକୀୟ ଭାଗିଦାରୀ ଦଳକୁ ସଞ୍ଜିବନୀ ସଦୃଶ ଥିଲା । ୩୯ ବଲରୁ ୮ ଚୌକା ଓ ୨ ଛକା ବଳରେ ୬୨ ରନ ସଂଗ୍ରହ କରିଥିଲେ ଫାଫ । ସେହିଭଳି ଗ୍ଲେନ ମାକ୍ସୱେଲ ୪୪ ବଲରୁ ୬ ଚୌକା ଓ ୪ ଛକା ସହାଯ୍ୟରେ ଦୃତ ୭୭ ରନ କରି ପାଭିଲିୟନ ଫେରିଥିଲେ । ଦିନେଶ କାର୍ତ୍ତିକ ୧୩ ବଲରୁ ୧୬ ରନ କରି ପାଭିଲିୟନ ଫେରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଫଳରେ ଗୋଟିଏ ସମୟରେ ୨୦୦ରୁ ଊର୍ଦ୍ଧ୍ବ ରନ ସ୍କୋର କରିବାକୁ ଅନୁମାନ କରାଯାଉଥିବା ଆରସିବି ୧୮୯ରେ ଅଟକି ଯାଇଥିଲା ।
ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ ଓଭରରୁ ୪୧ ରନ ବ୍ୟୟରେ ୨ ୱିକେଟ ଓ ସନ୍ଦୀପ ଶର୍ମା ୪ ଓଭରରୁ ୪୯ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିଲେ । ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଉଭୟ ଯଥାକ୍ରମେ ୩୬ ଓ ୨୮ ରନ ବ୍ୟୟ କରିଥିଲେ ।