ବେଙ୍ଗାଲୁରୁ: ଆଇପିଏଲ ୨୦୨୩ର ପଞ୍ଚମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ମୁମ୍ବାଇ ତିଲକ ବର୍ମାଙ୍କ ୮୪ ରନର ଧୂଆଁଧାର ପାଳି ବଳରେ ୧୭୧ ରନରେ ପହଞ୍ଚିଥିଲା । କିନ୍ତୁ ମ୍ୟାଚ୍ ଜିତିବା ପାଇଁ ଏହି ରନ ପର୍ଯ୍ୟାପ୍ତ ନଥିଲା । ୧୬.୨ ଓଭରରେ କେବଳ ୨ ୱିକେଟ ହରାଇ ୧୭୨ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଆରସିବି । ଆଜିର ମ୍ୟାଚ୍ରେ ବିରାଟ କୋହଲିଙ୍କ ସମେତ ଦଳର ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଦମଦାର ପାଳି ଦେଖିବାକୁ ମିଳିଥିଲା ।
ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ । ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରୋହିତ ବାହିନୀ । ଦଳୀୟ ସ୍କୋର ମାତ୍ର 11 ରନ ହୋଇଥିବା ବେଳେ ଇଶାନ କିଶାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ସିରାଜ । ବଡ଼ ସଟ ଖେଳିବା ପ୍ରଚେଷ୍ଟାରେ ସେ ହର୍ଷଲ ପଟେଲଙ୍କ ହାତରେ ଧରା ପଡ଼ିଥିଲେ । ଏହାପରେ କ୍ୟାମେରନ ଗ୍ରୀନ ମଧ୍ୟ ବେଶି ସମୟ ପିଚରେ ବିତାଇ ପାରିନଥିଲେ। ସେ ମାତ୍ର 5 ରନ କରି ପାରିଥିଲେ। ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଜି ସଂଘର୍ଷ କରୁଥିବା ନଜର ଆସିଥିଲେ । ସେ 10 ବଲ ଖେଳି ମାତ୍ର 1 ରନ ହିଁ କରି ପାରିଥିଲେ। ଦଳ ପକ୍ଷରୁ କେବଳ ତିଲକ ବର୍ମା ହିଁ ବଡ଼ ସଟ ଖେଳିବା ସହ ଅର୍ଦ୍ଧ ଶତକ ପୂରଣ କରିଥିଲେ। ସେ 46 ବଲ ଖେଳି 84 ରନ କରି ଅପରାଜିତ ରହିଥିଲେ । ଯାହା ଫଳରେ ଦଳୀୟ ସ୍କୋର 171ରେ ପହଞ୍ଚି ପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ନେହାଲ ୱଧେରା ମାତ୍ର 21 ରନ ହିଁ କରି ପାରିଥିଲେ। ଅନ୍ୟ କୌଣସି ବ୍ୟାଟର ପିଚରେ ସମୟ ବିତାଇ ପାରିନଥିଲେ।