ଓଡିଶା

odisha

ETV Bharat / sports

IPL 2023 RCB vs CSK: ଚିନ୍ନାସ୍ବାମୀରେ ରନ ବର୍ଷା, ସଙ୍ଘର୍ଷ କରି ହାରିଲା RCB

ଆଜି ଆଇପିଏଲ 2023ରେ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 226 ରନ କରିଥିଲା ଚେନ୍ନାଇ ସୁପରକିଙ୍ଗସ । ତେବେ ଏହି ବିଶାଳ ବିଜୟ ଲକ୍ଷ୍ୟ ନେଇ ଧୂଆଁଧାର ବ୍ୟାଟିଂ ସତ୍ତ୍ବେ 218 ରନରେ ଅଟକି ଯାଇଥିଲା ଆରସିବି । ଅଧିକ ପଢ଼ନ୍ତୁ

By

Published : Apr 18, 2023, 12:52 AM IST

IPL 2023 RCB vs CSK
IPL 2023 RCB vs CSK

ବେଙ୍ଗାଲୁରୁ: ଆଇପିଏଲ 2023ରେ ଆଜି ମଧ୍ୟ ଏକ ରୋମାଞ୍ଚକର ମୁକାବିଲା ଖେଳାଯାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 226 ରନର ବିଶାଳ ସ୍କୋର କରିଥିଲା ଚେନ୍ନାଇ । ତେବେ 227 ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ବାଙ୍ଗାଲୋର 218 ରନରେ ଅଟକି ଯାଇଥିଲା । ଫଳରେ ଏହି ମ୍ୟାଚକୁ 8 ରନରେ ଜିତି ନେଇଛି ଚେନ୍ନାଇ ।

ଘରୋଇ ମୈଦାନରେ ପ୍ରଥମେ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇର ଆରମ୍ଭ ସେତେ ଭଲ ହୋଇନଥିଲା । ଷ୍ଟାର ବ୍ୟାଟର ଋତୁରାଜ ଗାଏକୱାଡ ମାତ୍ର 3 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ କିନ୍ତୁ ଡେଭନ କନୱେ ଓ ଆଜିଙ୍କ୍ୟ ରାହାଣେ ଦୃତ ଗତିରେ ରନ ବନାଇଥିଲେ । ତେବେ ଦଳୀୟ ସ୍କୋର 90 ହୋଇଥିବା ବେଳେ 20 ବଲରୁ 37 ରନ ସଂଗ୍ରହ କରି ହସରଙ୍ଗାଙ୍କ ଶିକାର ହୋଇଥିଲେ ରାହାଣେ । ଏହାପରେ କନୱେ ଓ ଶିବମ ଦୁବେ ଧୂଆଁଧାର ପ୍ରଦର୍ଶନ କରିଥିଲେ । ଦୁବେ 27 ବଲରୁ 2 ଚୌକା ଓ 5 ଛକା ବଳରେ ଦୃତ 52 ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ 45 ବଲରୁ 83 ରନ ସଂଗ୍ରହ କରି ହର୍ଷଲ ପଟେଲଙ୍କ ବଲରେ ପାଭିଲିୟନ ଫେରିଥିଲେ କନୱେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ 6 ବଲରୁ 14 ଓ ମୋଇନ ଅଲ୍ଲୀ 9 ବଲରୁ ଅପରାଜିତ 19 ରନ ସଂଗ୍ରହ କରିଥିଲେ । ରବିନ୍ଦ୍ର ଜାଡେଜା 8 ବଲରୁ 10 ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଧୋନି 1 ରନ କରି ଅପରାଜିତ ରହିଥିଲେ । ତେବେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଦଳ 226 ରନର ବିଶାଳ ସ୍କୋର କରିଥିଲା ।

ଆରସିବି ପକ୍ଷରୁ ଆଜି ଶୋଚନୀୟ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳର ପ୍ରାୟ ସବୁ ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତେବେ ସମସ୍ତଙ୍କୁ ଗୋଟିଏ ଲେଖାଏଁ ସଫଳତା ମଧ୍ୟ ମିଳିଥିଲା । ମହମ୍ମଦ ସିରାଜ 4 ଓଭରରୁ 30 ରନ ବ୍ୟୟ କରିଥିବା ବେଳେ ୱେନି ପାର୍ନେଲ 4 ଓଭରରୁ 48 ରନ ଖର୍ଚ୍ଚ କରିଥିଲେ । ମାକ୍ସୱେଲ 2.4 ଓଭରରେ 28 ରନ ଖର୍ଚ୍ଚ କରିଥିଲେ । ସେହିଭଳି ୱାନିନ୍ଦୁ ହସରଙ୍ଗା 2 ଓଭରରୁ 21 ଓ ହର୍ଷଲ ପଟେଲ 3.2 ଓଭରରୁ 36 ରନ ଖର୍ଚ୍ଚ କରିଥିଲେ । ବିଜୟ କୁମାର ବୈଶକ 4 ଓଭର ବୋଲିଂ କରି 62 ରନ ଖର୍ଚ୍ଚ କରିଥିଲେ ଏବଂ ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ କରିଥିଲେ ।

ଏହାପରେ 227 ରନର ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଆରସିବି ପ୍ରଥମ ଓଭରରେ ହିଁ ବିରାଟ କୋହଲିଙ୍କୁ ହରାଇଥିଲା । ଏହାପରେ ମହିପାଲ ଲୋମରୋର ଆସି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ଏହାପରେ ଅଧିନାୟକ ଫାଫ ଡୁପ୍ଲେସିସ ଓ ଗ୍ଲେନ ମାକ୍ସୱେଲ ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟ ସିଏସକେ ବୋଲରଙ୍କ ବଲକୁ ନିର୍ଧୁମ ପ୍ରହାର କରିଥିଲେ । ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ମଧ୍ୟ ଦେଖିବାକୁ ମିଳିଥିଲା । ମାକ୍ସୱେଲ 36 ବଲରୁ ଦୃତ 76 ରନ ବନାଇ ଆଉଟ ହେବାପରେ ଅଧିନାୟକ ଡୁପ୍ଲେସିସ ମଧ୍ୟ ତୁରନ୍ତ ଆଉଟ ହୋଇଯାଇଥିଲେ । ସେ 33 ବଲରୁ 62 ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିନେଶ କାର୍ତ୍ତିକ 14 ବଲରୁ 28, ଶେହବାଜ ଅହମ୍ମଦ 12 ଓ ସୂୟଶ ପ୍ରଭୁଦେଶାଇଙ୍କ 11 ବଲରୁ 19 ରନର ପାଳି ବଳରେ ଦଳ 218 ରନରେ ପହଞ୍ଚିଥିଲା । ତେବେ ଦଳ ବିଜୟ ଠାରୁ ଆହୁରି 8 ରନ ପଛରେ ରହିଯାଇଥିଲା ।

ଅନ୍ୟପଟେ ସିଏସକେ ପକ୍ଷରୁ ତୁଷାର ଦେଶପାଣ୍ଡେ 4 ଓଭରରେ 45 ରନ ଖର୍ଚ୍ଚ କରି ସର୍ବାଧିକ 3ଟି ୱିକେଟ ପାଇଥିବା ବେଳେ ଶ୍ରୀଲଙ୍କାନ ବୋଲର ମାଥିସା ପଥିରାନା 4 ଓଭରରୁ 42 ରନ ଖର୍ଚ୍ଚ କରି 2ଟି ୱିକେଟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକାଶ ସିଂହ, ମହୀଶ ତୀକ୍ଷାନା ଓ ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details