ହାଇଦ୍ରାବାଦ: ଜାରି ରହିଛି ଆଇପିଏଲ ୨୦୨୩ ମହାସମର । ଆଇପିଏଲ ୧୬ତମ ସଂସ୍କରଣରେ ଆଜି ଡବଲ ହେଡର ମ୍ୟାଚ୍ ରହିଥିଲା । ତେବେ ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ଏଥିରେ ଚଳିତ ସଂସ୍କରଣର ସର୍ବାଧିକ ରନ ସ୍କୋର କରିଥିଲା ରାଜସ୍ଥାନ ରୟାଲ୍ସ । ଦଳର ତିନି ଜଣ ବ୍ୟାଟରଙ୍କ ଅର୍ଦ୍ଧଶତକ ବଳରେ ୨୦୩ ରନ ସ୍କୋର କରିଥିଲା ରାଜସ୍ଥାନ । ତେବେ ୨୦୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ କେବଳ ୧୩୧ ରନ ସଂଗ୍ରହ କରିପାରିଥିଲା ।
ଟସ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ହାଇଦ୍ରାବଦର ଅଧିନାୟକ ଭୁବନେଶ୍ବର କୁମାର । ତେବେ ପ୍ରଥମେ ବ୍ୟାଟିଂ କରିବା ମୌକାକୁ ସଠିକ ଉପଯୋଗ କରିଥିଲେ ରାଜସ୍ଥାନ ବ୍ୟାଟର । ପାଳି ଆରମ୍ଭରୁ ୟଶସ୍ବୀ ଜୟସ୍ବାଲ ଓ ଜୋଶ ବଟଲର ଦମଦାର ଇନିଂସ ଖେଳିଥିଲେ । କେବଳ ୨୨ ବଲ ଖେଳି ୭ ଚୌକା ଓ ୩ ଛକା ବଳରେ ୫୪ ରନର ଧୂଆଁଧାର ପାଳି ଖେଳିଥିଲେ ଇଂଲିଶ ବ୍ୟାଟର ବଟଲର । ତେବେ ଏହି ସମୟରେ ଫଜଲହକ୍ ଫାରୁକିଙ୍କ ବଲରେ ସେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ମୁହାଁ ହୋଇଥିଲେ । ଏହାପରେ ଜୟସ୍ବାଲଙ୍କ ସହ ଅଧିନାୟକ ସଞ୍ଜୁ ସାମ୍ସନ ପାଳି ସମ୍ଭାଳିଥିଲେ । ଜୟସ୍ବାଲ ୩୭ ବଲରୁ ୯ ଚୌକା ସହ ୫୪ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ ସଞ୍ଜୁ ସାମ୍ସନ ୩୨ ବଲରୁ ୪ ଛକା ଓ ୩ ଚୌକା ସହ ୫୫ ରନ ସ୍କୋର କରିଥିଲେ । ହେଟମେୟର ୧୬ ବଲରୁ ଅପରାଜିତ ୨୨ ରନ ସଂଗ୍ରହ କରିଥିଲେ ।
ସେପଟେ ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ବର କୁମାର ଅଧିନାୟକ ପାଳି ଖେଳିବାରେ ସକ୍ଷମ ହୋଇ ପାରିନଥିଲେ । ସେ ୩ ଓଭର ବୋଲିଂ କରି ୩୬ ରନ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ସଫଳତା ପାଇନଥିଲେ । ହାଇଦ୍ରାବାଦ ପକ୍ଷରୁ ଫଜଲହକ୍ ଫାରୁକି ୪ ଓଭର ବୋଲିଂ କରି ୪୧ ରନ ବ୍ୟୟରେ ୨ ଟି ୱିକେଟ ସଂଗ୍ରହ କରିଥିବା ବେଳେ ଟି ନଟରାଜନ ୩ ଓଭରରୁ ୨୩ ରନ ଖର୍ଚ୍ଚ କରି ୨ଟି ୱିକେଟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମ୍ରାନ ମଲିକ ୩ ଓଭରରୁ ୩୨ ରନ ଦେଇ ଗୋଟିଏ ୱିକେଟ ପାଇଥିଲେ । ତେବେ ୨୦ ଓଭରରେ ୫ ୱିକେଟ ହରାଇ ୨୦୩ ରନର ବଡ଼ ସ୍କୋରରେ ପହଞ୍ଚିଥିଲା ରାଜସ୍ଥାନ ରୟାଲ୍ସ ।