ଓଡିଶା

odisha

ETV Bharat / sports

IPL 2023 PBKS vs MI: ବିଶାଳ ସ୍କୋର ସତ୍ତ୍ବେ ହାରିଲା ପଞ୍ଜାବ, 6 ୱିକେଟରେ ଜିତିଲା ମୁମ୍ବାଇ

ଆଇପିଏଲ 2023ରେ ଆଜି ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ମାତ୍ର 3 ୱିକେଟ ହରାଇ 214 ରନର ବିଶାଳ ସ୍କୋର କରିଥିଲା ପଞ୍ଜାବ । ତେବେ ଏହି ବିଜୟ ଲକ୍ଷ୍ୟକୁ 6 ୱିକେଟରେ ଜିତି ନେଇଛି ମୁମ୍ବାଇ । ଅଧିକ ପଢ଼ନ୍ତୁ

IPL 2023 PBKS vs MI
IPL 2023 PBKS vs MI

By

Published : May 4, 2023, 1:10 AM IST

ମୋହାଲି: ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ମୋହାଲିରେ ଖେଳାଯାଇଥିବା ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ମାତ୍ର 3 ୱିକେଟ ହରାଇ 214 ରନର ବିଶାଳ ସ୍କୋର କରିଥିଲା ପଞ୍ଜାବ । ତେବେ 215 ରନର ବିଜୟଲକ୍ଷ୍ୟକୁ 18.5 ଓଭରରେ 4 ୱିକେଟ ହରାଇ ହାସଲ କରିନେଇଛି ମୁମ୍ବାଇ ଇଣ୍ଡିଆନ୍ସ । 75 ରନର ପାଳି ଖେଳି ଈଶାନ କିଶାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ତେବେ ପଞ୍ଜାବର ପ୍ରାରମ୍ଭିକ ବ୍ୟାଟର ପ୍ରଭସିମ୍ରନ କେବଳ 9 ରନ କରି ତୁରନ୍ତ ପାଭିଲିୟନ ଫେରିଯାଇଥିଲେ । ଏହାପରେ ଦଳୀୟ ସ୍କୋର 62 ରନ ହୋଇଥିବା ବେଳେ 20 ବଲରୁ 30 ରନ ସଂଗ୍ରହ କରି ଅଧିନାୟକ ଶିଖର ଧାୱନ ମଧ୍ୟ ଆଉଟ ହୋଇଥିଲେ । ମାଥ୍ୟୁ ସଟ 26 ବଲରୁ 27 ରନ କରି ପୀୟୁଷ ଚାୱଲାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ଫେରିଥିଲେ । ଏହାପରେ ଲିଆମ ଲିଭିଙ୍ଗଷ୍ଟୋନ ଓ ଜିତେଶ ଶର୍ମା ମୁମ୍ବାଇ ବୋଲରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । ଜିତେଶ ଶର୍ମା 27 ବଲରୁ 5 ଚୌକା ଓ 2 ଛକା ବଳରେ ଅପରାଜିତ 49 ରନ କରିଥିଲେ । ସେହିଭଳି 42 ବଲରୁ 7 ଚୌକା ଓ 4 ଛକା ବଳରେ 82 ରନର ଦୃତ ପାଳି ଖେଳିଥିଲେ ଲିଭିଙ୍ଗଷ୍ଟୋନ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ 3 ୱିକେଟ ହରାଇ 214 ରନ କରିଥିଲା ।

ମୁମ୍ବାଇ ପକ୍ଷରୁ ପୀୟୁଷ ଚାୱଲା 4 ଓଭର ବୋଲିଂ କରି 29 ରନ ବ୍ୟୟରେ ସର୍ବାଧିକ 2ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟପଟେ ଅର୍ଶଦ ଖାନ 4 ଓଭରରୁ 48 ରନ ଖର୍ଚ୍ଚ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ । ତେବେ ଦଳର ଷ୍ଟାର ବୋଲର ଜୋଫ୍ରା ଆର୍ଚର 4 ଓଭରରେ ସର୍ବାଧିକ 56 ରନ ଖର୍ଚ୍ଚ କରି ଦଳ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ 215 ରନର ବଡ଼ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ମୁମ୍ବାଇ ପ୍ରଥମ ଓଭରରେ ହିଁ ଅଧିନାୟକଙ୍କୁ ହରାଇଥିଲା । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ରୋହିତ ଶର୍ମା । ଏହାପରେ କାମେରନ ଗ୍ରୀନ 18 ବଲରୁ 23 ରନ କରି ଆଉଟ ହୋଇଥିଲେ । ତେବେ ଈଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲା । କିଶାନ 41 ବଲରୁ 7 ଚୌକା ଓ 4 ଛକା ବଳରେ ଦଳ ପାଇଁ ସର୍ବାଧିକ 75 ରନ ସଂଗ୍ରହ କରିଥିଲେ । ସେହିଭଳି ସୂର୍ଯ୍ୟକୁମାର ଯାଦବ 31 ବଲରୁ 8 ଚୌକା ଓ 2 ଛକା ବଳରେ ଦୃତ 66 ରନ କରି ଆଉଟ ହୋଇଥିଲେ । ଶେଷରେ ଟିମ ଡେଭିଡ 10 ବଲରୁ 19 ଓ ତୀଲକ ବର୍ମା 10 ବଲରୁ 26 ରନର ମହତ୍ତ୍ବପୂର୍ଣ୍ଣ ଇନିଂନ୍ସ ଖେଳି ଦଳକୁ ବିଜୟ ଦେଇଥିଲେ ।

ପଞ୍ଜାବ ପାଇଁ ନାଥନ ଏଲିସ 4 ଓଭରରେ 34 ରନ ଖର୍ଚ୍ଚ କରି ସର୍ବାଧିକ 2ଟି ୱିକେଟ ଅକ୍ତିଆର କରିଥିଲେ । ଋଶି ଧାୱନ ଓ ଅର୍ଶଦୀପ ସିଂହଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଅନ୍ୟ କୌଣସି ବୋଲରଙ୍କୁ ସଫଳତା ମିଳିନଥିବା ବେଳେ ଅର୍ଶଦୀପ 3.5 ଓଭରରେ 66 ରନ ବ୍ୟୟ କରି ଦଳ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details