ମୋହାଲି: ଆଇପିଏଲ 2023ର 38 ତମ ମ୍ୟାଚ ଆଜି ମୋହାଲିରେ ଖେଳାଯାଇଥିଲା । ପଞ୍ଜାବ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଚୌକା ଓ ଛକାର ବର୍ଷା କରିଥିଲେ ଉଭୟ ଦଳ ବ୍ୟାଟର । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ 5 ୱିକେଟ ବିନିମୟରେ 257 ରନ କରିଥିବା ବେଳେ ପଞ୍ଜାବ 201 ରନରେ ଅଲଆଉଟ ହୋଇଛି । ମାର୍କସ ଷ୍ଟୋଇନିସ ଉଭୟ ବ୍ୟାଟିଂ ଓ ବୋଲିଂରେ ଜଲୱା ଦେଖାଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଆରମ୍ଭରୁ ଆକ୍ରାମକ ରଣନୀତି ଆପଣାଇଥିଲେ ଲକ୍ଷ୍ନୌ ବ୍ୟାଟର । ପ୍ରଥମ ୱିକେଟ ଭାବେ କେଏଲ ରାହୁଲଙ୍କୁ ହରାଇବା ପରେ ମଧ୍ୟ ଲକ୍ଷ୍ନୌର ରନ ଗତି ଧିମା ପଡ଼ିନଥିଲା । କାୟଲ ମାୟର୍ସ 24 ବଲ ଖେଳି 54 ରନ କରି ଆଉଟ ହୋଇଥିଲେ । ଏହାପରେ ଆୟୁଷ ବାଦୋନି ଏବଂ ଷ୍ଟୋଇନିସଙ୍କ ମଧ୍ୟରେ 90 ରନରେ ଭାଗିଦାରୀ ହୋଇଥିଲା । ଯାହା ଦଳ ପାଇଁ ବୁଷ୍ଟର ସାବ୍ୟସ୍ତ ହୋଇଥିଲା । ଉଭୟ ଯଥାକ୍ରମେ 43 ଓ 72 ରନ କରିଥିଲେ । ଷ୍ଟୋଇନିସ 6ଟି ଚୌକା ଓ 5ଟି ଛକା ସହ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ । ବାଦୋନି ଆଉଟ ହେବାପରେ ପଡ଼ଆକୁ ଓହ୍ଲାଇଥିଲେ ନିକୋଲାସ ପୁରନ । 19ଟି ବଲରୁ ଦୃତ 45 ରନ କରି ଦଳୀୟ ସ୍କୋରକୁ 257 ରନରେ ପହଞ୍ଚାଇଥିଲେ ।
ପଞ୍ଜାବ ପକ୍ଷରୁ ରାବାଡ଼ା 2ଟି ୱିକେଟ ଅକ୍ତିଆର କରିଛନ୍ତି । ଅର୍ଶଦୀପ ସିଂହ, ସାମ କରନ ଓ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅର୍ଶଦୀପ ସିଂହ 4 ଓଭରରୁ 54 ରନ ଖର୍ଚ୍ଚ କରି ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି ।