ମୋହାଲି: ଆରମ୍ଭ ହୋଇଯାଇଛି ଆଇପିଏଲ ମହାକୁମ୍ଭ । ଆଇପିଏଲର ୧୬ତମ ସଂସ୍କରଣର ଦ୍ବିତୀୟ ଦିନରେ ରହିଥିଲା ପ୍ରଥମ ଡବଲ ହେଡର ମ୍ୟାଚ୍ । ତେବେ ଆଜିର ପ୍ରଥମ ମ୍ୟାଚ୍ରେ ବର୍ଷା ସାଜିଲା ବାଧକ । DLS ମେଥଡରେ କୋଲକାତା ବିପକ୍ଷରେ ପ୍ରଥମ ମ୍ୟାଚ୍କୁ ୭ ରନରେ ଜିତି ନେଇଛି ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୧ ରନ ସଂଗ୍ରହ କରିଥିଲା ପଞ୍ଜାବ କିଙ୍ଗସ । ତେବେ ଦ୍ବିତୀୟ ପାଳି ଖେଳ ସେଷ ସୁଦ୍ଧା ୧୬ ଓଭର ଖେଳି ୭ ୱିକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା କୋଲକାତା ନାଇଟ ରାଇଡର୍ସ ।
ଆଇପିଏଲ ୨୦୨୩ର ଦ୍ବିତୀୟ ଦିନରେ ରହିଥିଲା ପ୍ରଥମ ଡବଲ ହେଡର ମ୍ୟାଚ । ଅପରାହ୍ନ ସମୟରେ କୋଲକାତା ନାଇଟ ରାଇଡର୍ସକୁ ନିଜ ହୋମ ଗ୍ରାଉଣ୍ଡ୍ ମୋହାଲିରେ ଭେଟିଥିଲା ପଞ୍ଜାବ କିଙ୍ଗସ । ତେବେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ କୋଲକାତା ଅଧିନାୟକ ନୀତିଶ ରାଣା । ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଧାୱନ ବାହୀନି । ଦଳର ଯୁବ ବ୍ୟାଟର ପ୍ରଭସିମ୍ରନ ସିଂହ ୧୨ ବଲରୁ ୨ ଚୌକା ଓ ୨ ଛକା ବଳରେ ଧୂଆଁଧାର ୨୩ ରନ ସଂଗ୍ରହ କରି ଟିମ ସାଉଦିଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଅଧିନାୟକ ଶିଖର ଧାୱନ ଓ ଶ୍ରୀଲଙ୍କା ବ୍ୟାଟର ଭାନୁକା ରାଜପକ୍ଷଙ୍କ ମଧ୍ୟରେ ଦୃଢ଼ ପାର୍ଟନରସିପ ଦେଖିବାକୁ ମିଳିଥିଲା । ତେବେ ୩୨ ବଲରୁ ୫ ଚୌକା ଓ ୨ ଛକା ବଳରେ ଅର୍ଦ୍ଧଶତକ ହାସଲ କରି ପାଭିଲିୟନ ଫେରିଥିଲେ ରାଜପକ୍ଷ ।
ଅନ୍ୟପଟେ ପାଳି ସମ୍ଭାଳୁଥିବା ଅଧିନାୟକ ଧାୱନ ମଧ୍ୟ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ବୋଲ୍ଡ ହୋଇଥିଲେ । ସେ ୨୯ ବଲରୁ ୬ ଚୌକା ସହିତ ୪୦ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିତେଶ ଶର୍ମା ୨୧ (୧୧), ସିକନ୍ଦର ରାଜା ୧୬ (୧୩) ରନରେ ଆଉଟ ହୋଇଥିଲେ । ସାମ କରନ ୨୬ (୧୭) ଓ ଶାହରୁଖ ଖାନ ୧୧ (୭) ଅପରାଜିତ ସ୍କୋର କରି ଦଳକୁ ୧୯୧ର ବିଶାଳ ସ୍କୋରରେ ପହଞ୍ଚାଇଥିଲେ । ପ୍ରଥମ ପାଳିରେ କୋଲକାତା ପକ୍ଷରୁ ଦ୍ରୁତ ବୋଲର ଟିମ ସାଉଦି ୪ ଓଭରରୁ ସର୍ବାଧିକ ୫୪ ରନ ବ୍ୟୟ କରି ୨ଟି ୱିକେଟ ହାସଲ କରିଥିଲେ । ଉମେଶ ଯାଦବ ୪ ଓଭରରୁ ୨୭ ରନ ବ୍ୟୟରେ ଗୋଟିଏ ୱିକେଟ ହାସଲ କରିଥିବା ବେଳେ ସୁନୀଲ ନାରାୟଣ ୪୦ ରନ ବ୍ୟୟରେ ଗୋଟିଏ ୱିକେଟ ପାଇଥିଲେ । ସେହିଭଳି ବରୁଣ ଚକ୍ରବର୍ତ୍ତୀଙ୍କୁ ୨୬ ରନ ବ୍ୟୟରେ ଗୋଟିଏ ସଫଳତା ମିଳିଥିଲା ।
ସେପଟେ ୧୯୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା କୋଲକାତା ନାଇଟ ରାଇଡର୍ସ । ପ୍ରାରମ୍ଭିକ ବ୍ୟାଟର ମନଦୀପ ସିଂହ ପ୍ରଥମରୁ ୨ ରନ କରି ଆଉଟ ହୋଇ ଦଳକୁ ନିରାଶ କରିଥିଲେ । ଅନ୍ୟତନ ପ୍ରାରମ୍ଭିକ ବ୍ୟାଟର ରାମାନୁଲ୍ଲାହ ଗୁର୍ବାଜ ୧୬ ବଲରୁ ୨୨ ରନ କରି ପାଭିଲିୟନ ଫେରିଥିଲେ । ଭେଙ୍କଟସ ଆୟର ଦୀର୍ଘ ସମୟ ଧରି ପରିସ୍ଥିତି ସମ୍ଭାଳିଥିଲେ ମଧ୍ୟ ସେ ୨୮ ବଲରୁ ୩ ଚୌକା ଓ ଗୋଟିଏ ଛକା ବଳରେ ୩୪ ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ନୀତିଶ ରାଣା ୧୭ ବଲରୁ ୨୪ ରନ କରି ଆଉଟ ହୋଇଥିଲେ । ଦଳ ପକ୍ଷରୁ ୧୯ ବଲରୁ ସର୍ବାଧିକ ୩୫ ରନ ସଂଗ୍ରହ କରିଥିଲେ ଆନ୍ଦ୍ରେ ରସେଲ । ଅନ୍ୟମାନଙ୍କ ମଧ୍ୟରେ ଅନୁକୁଲ ରଏ ୪, ରିଙ୍କୁ ସିଂହ ୪ ରନ ସ୍କୋର କରିଥିଲେ । ଶାର୍ଦ୍ଦୁଲ ଠାକୁର ୮ (୩) ଓ ସୁନୀଲ ନାରାୟଣ ୭ (୨) ରନ କରି ଅପରାଜିତ ରହିଥିଲେ । ସେହିପରି ଦ୍ବିତୀୟ ପାଳିରେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ୩ ଓଭର ବୋଲିଂ କରି ୧୯ ରନ ବ୍ୟୟରେ ସର୍ବାଧିକ ୩ ୱିକେଟ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ କରନ୍, ନାଥନ ଏଲିସ, ସିକନ୍ଦର ରାଜା ଓ ରାହୁଲ ଚହରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ