ମୋହାଲି: ଆଇପିଏଲ 2023ରେ ଏବେ ପ୍ରତିଦିନ ଦେଖିବାକୁ ମିଳୁଛି ରୋମାଞ୍ଚକର ମୁକାବିଲା । ଆଜି ପଞ୍ଜାବ ଓ ଗୁଜରାଟ ମଧ୍ୟରେ ମୋହାଲିରେ ଖେଳାଯାଇଥିବା ମୁକାବିଲା ମଧ୍ୟ ବେଶ ରୋମାଞ୍ଚକର ଥିଲା । ତେବେ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିବା ସତ୍ତ୍ବେ ପଞ୍ଜାବ ନିର୍ଦ୍ଧାରିତ 20 ଓଭରରେ 153 ରନରେ ପହଞ୍ଚିଥିଲା । 154 ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଗୁଜରାଟ ମାତ୍ର ଗୋଟିଏ ବଲ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିନେଇଛି ।
ଆଜି ପ୍ରଥମେ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ହିଁ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ଶିଖର ଧାୱନଙ୍କ ପଞ୍ଜାବ କିଙ୍ଗସ । ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ହିଁ ପାଭିଲିୟନ ଫେରିଥିଲେ ଦଳର ପ୍ରାରମ୍ଭିକ ବ୍ୟାଟର ପ୍ରଭସିମ୍ରନ ସିଂହ । ଏହାପରେ ତୁରନ୍ତ ଅଧିନାୟକ ଧାୱନ ମଧ୍ୟ ଆଉଟ ହୋଇଥିଲେ । ସେ କେବଳ 8 ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଆଜି ମାଥ୍ୟୁ ସର୍ଟ ସର୍ବାଧିକ 36 ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାନୁକା ରାଜପକ୍ଷ 20, ଜିତେଶ ଶର୍ମା 25, ସାମ କରନ 22 ଓ ଶାହରୁଖ ଖାନ 9 ବଲରୁ ଦୃତ 22 ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 153 ରନ ହିଁ କରିପାରିଥିଲା ।
ଅନ୍ୟପଟେ ଗୁଜରାଟ ପାଇଁ ଦଳର ଅନୁଭବୀ ବୋଲର ମହମ୍ମଦ ସାମି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ 4 ଓଭରରୁ 44 ରନ ବ୍ୟୟ କରିଥିଲେ । ତେବେ ସେ ଗୋଟିଏ ୱିକେଟ ମଧ୍ୟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋହିତ ଶର୍ମା ଦଳ ପାଇଁ ସର୍ବାଧିକ 2ଟି ୱିକେଟ ହାସଲ କରିଥିବା ବେଳେ ଜୋଶୁଆ ଲିଟିଲ, ଅଲଜାରୀ ଜୋଶେଫ ଓ ରସିଦ ଖାନ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ ।