ଧର୍ମଶାଳା: ବିସ୍ଫରୋକ ବ୍ୟାଟିଂ ସତ୍ତ୍ବେ ପଞ୍ଜାବକୁ ଜିତାଇ ପାରିଲେନି ଲିଭିଙ୍ଗଷ୍ଟୋନ । 15 ରନରେ ବିଜୟ ହାସଲ କଲା ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ 213 ରନର ବିଶାଳ ସ୍କୋର କରିଥିଲା । ଜବାବରେ ପଞ୍ଜାବ କିଙ୍ଗସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ 198 ରନ ପର୍ଯ୍ୟନ୍ତ ହିଁ ପହଞ୍ଚାଇ ପାରିଥିଲେ ଲିଆମ ଲିଭିଙ୍ଗଷ୍ଟୋନ । ଫଳରେ ଏହି ମ୍ୟାଚ ହାରିବା ସହ ପଞ୍ଜାବର ପ୍ଲେ ଅଫ ଆଶା ଫିକା ପଡ଼ିଛି।
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭଲ ଆରମ୍ଭ ପାଇଥିଲା ଦିଲ୍ଲୀ । ଆଉଟ୍ ଅଫ୍ ଫର୍ମ୍ ପୃଥ୍ବୀ ଶୋଙ୍କୁ ପୁଣିଥରେ ଚାନ୍ସ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ୱିକେଟ ପାଇଁ ୱାର୍ନର ଓ ପୃଥ୍ୱୀ ଶୋଙ୍କ ମଧ୍ୟରେ 94 ରନର ଭାଗିଦାରୀ ହୋଇଥିଲା । ତେବେ ପ୍ରଥମେ 31 ବଲରୁ 46 ରନ କରି ଅଧିନାୟକ ୱାର୍ନର ଆଉଟ ହୋଇଥିଲେ । ଏହାପରେ ରିଲେ ରୁଶୋଙ୍କ ସହ ଆଉ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ପରେ 38 ବଲରୁ 7 ଚୌକା ଓ ଗୋଟିଏ ଛକା ସହିତ 54 ରନ କରି ଆଉଟ ହୋଇଥିଲେ ପୃଥ୍ବୀ ଶୋ । ଏହାପରେ ମଧ୍ୟ ରିଲେ ରୁଶୋ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ସେ 37 ବଲରୁ 6ଟି ଲେଖାଏଁ ଛକା ଓ ଚୌକା ସହିତ ଅପରାଜିତ 82 ରନ କରିଥିଲେ । ଅନ୍ୟପଟେ ଫିଲିପ ସଲ୍ଟ 14 ବଲରୁ 26 ରନ କରି ଅପରାଜିତ ରହିଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ ବିନିମୟରେ 213 ରନର ବିଶାଳ ସ୍କୋର କରିଥିଲା ।
ଅନ୍ୟପଟେ ପଞ୍ଜାବ ପକ୍ଷରୁ କେବଳ ସାମ କରନଙ୍କୁ 2ଟି ୱିକେଟ ମିଳିଥିଲା । 4 ଓଭରରେ 36 ରନ ବ୍ୟୟ କରି ସେ ଦିଲ୍ଲୀର ଉଭୟ ପ୍ରାରମ୍ଭିକ ବ୍ୟାଟରଙ୍କୁ ଆଉଟ କରିଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଆଜି ଆଶାନୁରୂପ ସଫଳତା ମିଳିନଥିବା ବେଳେ ପ୍ରାୟ ସମସ୍ତେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।