ମୁମ୍ବାଇ: ଆଇପିଏଲ ୨୦୨୩ରେ ଆଜି ୨୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ତେବେ ଏହି ମ୍ୟାଚ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ସହ ମୈଦାନକୁ ଓହ୍ଲାଇଛି ମୁମ୍ବାଇ ଇଣ୍ଡିଆନ୍ସ ଟିମ । ଆଜିର ଦିନକୁ 'ESA Day' ଭାବେ ପାଳନ କରୁଛନ୍ତି ମୁମ୍ବାଇ ଖେଳାଳି । ESA ହେଉଛି Education and Sports for All । ଅର୍ଥାତ ଶିକ୍ଷା ଓ ଖେଳ ସମସ୍ତଙ୍କ ପାଇଁ । ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନତାର ବାର୍ତ୍ତା ବାଣ୍ଟିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗର ଜର୍ସି ପିନ୍ଧି ଖେଳିଛନ୍ତି ମୁମ୍ବାଇ ଖେଳାଳି । ତେବେ ଏହି ସ୍ବତନ୍ତ୍ର ଅଭିଯାନରେ ଦଳ ସହ ୱାଙ୍ଖେଡେ ଷ୍ଟାଡିୟମରେ ଯୋଡ଼ି ହୋଇଛନ୍ତି ମୁମ୍ବାଇ ମହିଳା ଦଳର କ୍ୟାପ୍ଟେନ ହରମନପ୍ରୀତ କୌର ।
ଆଜିର ମ୍ୟାଚ୍ରେ ପ୍ରଥମ ଇନିଂସରେ ଚୂଡ଼ାନ୍ତ ଏକାଦଳରେ ସ୍ଥାନ ପାଇନଥିଲେ ରୋହିତ ଶର୍ମା । ଯେଉଁଥି ପାଇଁ ଏହି ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ଆଜିର ମ୍ୟାଚ୍ରେ ଅଧିନାୟକ ପଦ ସମ୍ଭାଳିଥିଲେ । ତେବେ ପ୍ରଥମେ ଟସ୍ ପଡ଼ିବା ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ମହିଳା ଦଳର କ୍ୟାପ୍ଟେନ ହରମନପ୍ରୀତ କୌରଙ୍କୁ ମୈଦାନରେ ଦେଖିବାକୁ ମିଳିଥିଲା । ତେବେ ଏହି ସ୍ବତନ୍ତ୍ର ଅଭିଯାନ ଅବସରରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ପକ୍ଷରୁ ୩୬ NGOରୁ ୧୯ ହଜାର ଝିଅଙ୍କୁ ଆଜିର ମ୍ୟାଚ୍ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହା ସହିତ ନିକଟରେ ମହିଳା ପ୍ରିମିୟର ଲିଗରେ ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳକୁ ମଧ୍ୟ ଏହି ମ୍ୟାଚ୍ ଦେଖିବାକୁ ନିମନ୍ତ୍ରଣ କରାଯାଇଛି । ଏମାନେ ମୁମ୍ବାଇ ଇଣ୍ଡିଆନ ଜର୍ସିରେ ଦଳକୁ ସମର୍ଥନ କରିଛନ୍ତି ।