ମୁମ୍ବାଇ:ଆଇପିଏଲ ଇତିହାସର 1000ତମ ମ୍ୟାଚ ଆଜି ଖେଳାଯାଇଥିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ । ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲେ ମଧ୍ୟ 21 ବର୍ଷୀୟ ଯଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର 124 ରନର ପାଳି ବଳରେ ଦଳ 212 ରନ ସ୍କୋର କରିପାରିଥିଲା । ତେବେ ଟିମ ଡେଭିଡଙ୍କ ଅବିଶ୍ବସନୀୟ 14 ବଲରୁ 45 ରନର ପାଳି ବଳରେ ମୁମ୍ବାଇ ଏହି ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ।
ଏହି ମ୍ୟାଚ୍ରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ତେବେ ପ୍ରଥମରୁ ହିଁ ମୁମ୍ବାଇ ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ । ଅନ୍ୟପଟେ ଦଳୀୟ ସ୍କୋର 72 ରନ ହୋଇଥିବା ବେଳେ କେବଳ 18 ରନ କରି ଆଉଟ ହୋଇଥିଲେ ଜୋଶ ବଟଲର । ସେହିଭଳି ଅଧିନାୟକ ସଞ୍ଜୁ ସାମସନ ମଧ୍ୟ କେବଳ 14 ରନ କରିବାକୁ ସମର୍ଥ ହୋଇଥିଲେ । ଜାଶନ ହୋଲ୍ଡର 11 ରନ କରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟର ଆଜି ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ଅସମର୍ଥ ରହିଥିଲେ । ଗୋଟିଏ ପଟେ ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଥିବା ବେଳେ ଅନ୍ୟପଟେ କିନ୍ତୁ ଆକ୍ରାମକ ପାଳି ଜାରି ରଖିଥିଲେ ଯଶସ୍ବୀ ଜୟସ୍ବାଲ । ସେ 62 ବଲରୁ ଦୃତ 124 ରନ ସଂଗ୍ରହ କରିଥିଲେ । ଜୟସ୍ବାଲଙ୍କ ଏହି ଶତକୀୟ ପାଳି ବଳରେ ରାଜସ୍ଥାନ 212 ରନର ବିଶାଳ ସ୍କୋରରେ ପହଞ୍ଚିଥିଲା ।
ମୁମ୍ବାଇ ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ 21 ବର୍ଷୀୟ ଜୟସ୍ବାଲ । ତେବେ ଅର୍ଶଦ ଖାନ ଦଳ ପାଇଁ ସର୍ବାଧିକ 3ଟି ୱିକେଟ ହାତେଇଥିଲେ । ସେ 3 ଓଭର ବୋଲିଂ କରି 39 ରନ ବ୍ୟୟ କରିଥିଲେ । ପୀୟୁଷ ଚାୱଲା 4 ଓଭରରୁ 34 ରନ କରି 2ଟି ସଫଳତା ପାଇଥିଲେ । ସେହିଭଳି ଜୋଫ୍ରା ଆର୍ଚର ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ତେବେ ମେରେଡିଥ 4 ଓଭରରୁ 51 ରନ ଖର୍ଚ୍ଚ କରି ଦଳ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।