ଓଡିଶା

odisha

ETV Bharat / sports

IPL 2023 MI vs KKR: ଆୟରଙ୍କ ଶତକ ସତ୍ତ୍ବେ ହାରିଲା କୋଲକାତା, ମୁମ୍ବାଇର ଦ୍ବିତୀୟ ବିଜୟ - ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ୨୦୨୩ର ୨୨ତମ ମ୍ୟାଚ୍‌ରେ କୋଲକାତାକୁ ୫ ୱିକେଟରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଶତକୀୟ ପାଳି ଖେଳିଥିବା କୋଲକାତାର ଅଲରାଉଣ୍ଡର ଭେଙ୍କଟେଶ ଆୟର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

IPL 2023 MI vs KKR
IPL 2023 MI vs KKR

By

Published : Apr 16, 2023, 8:17 PM IST

ମୁମ୍ବାଇ: ଭେଙ୍କଟେଶ ଆୟରଙ୍କ ଶତକ ସତ୍ତ୍ବେ ମଧ୍ୟ ଆଜିର ମ୍ୟାଚ ହାରିଲା କୋଲକାତା । ୧୮୬ ରନର ବଡ଼ ବିଜୟ ଲକ୍ଷ୍ୟକୁ ମାତ୍ର ୧୭.୪ ଓଭରରେ ହାସଲ କରି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ଚଳିତ ଆଇପିଏଲ ୨୦୨୩ରେ ମମ୍ବାଇର ଦ୍ବିତୀୟ ବିଜୟ ହୋଇଥିବା ବେଳେ କୋଲକାତା ପାଇଁ ଏହା କ୍ରମାଗତ ଦ୍ବିତୀୟ ପରାଜୟ ହୋଇଛି । ତେବେ ଆଜିର ମ୍ୟାଚ୍‌ରେ ଶତକୀୟ ପାଳି ଖେଳିଥିବା କୋଲକାତାର ଅଲରାଉଣ୍ଡର ଭେଙ୍କଟେଶ ଆୟର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଆଜି ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ମହିଳା ଓ ପୁରୁଷର ସମାନତାର ବାର୍ତ୍ତା ନେଇ ୱାଙ୍ଖେଡେରେ ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଆଜିର ମ୍ୟାଚ୍‌ ପାଇଁ ମୁମ୍ବାଇର ଚୂଡ଼ାନ୍ତ ଏକାଦଶରେ ରୋହିତ ଶର୍ମା ନଥିବାରୁ ଦଳର କମାଣ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ । ପ୍ରଥମେ ଟସ୍‌ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ସୂର୍ଯ୍ୟକୁମାର । କୋଲକାତା ପକ୍ଷରୁ ଆରମ୍ଭ ସେତେଟା ଭଲ ହୋଇନଥିଲା । ପ୍ରାରମ୍ଭିକ ବ୍ୟାଟର ଏନ ଜଗଦୀଶନ ଖାତା ଖୋଲିବା ପୂର୍ବରୁ ଆଉଟ ହେବା ପରେ ୧୨ ବଲରୁ ମାତ୍ର ୮ ରନ କରି ପାଭିଲିୟନ ଫେରିଥିଲେ ରାମାନୁଲ୍ଲା ଗୁରବାଜ । ଅଧିନାୟକ ନୀତିଶ ରାଣା କେବଳ ୫ ରନ କରି ଆଉଟ ହୋଇଥିଲେ । ତେବେ ଗୋଟିଏ ପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟୁଥିବା ବେଳେ ଅନ୍ୟପଟେ ଭେଙ୍କଟେଶ ଆୟର ଲଗାତାର ବଡ଼ ସଟ୍‌ ଖେଳିବା ଜାରି ରଖିଥିଲେ । ସେ ମାତ୍ର ୫୧ ବଲରୁ ୬ ଚୌକା ଓ ୯ ଛକା ବଳରେ ପ୍ରଥମ ଆଇପିଏଲ ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର ୧୩, ରିଙ୍କୁ ସିଂହ ୧୮ ଓ ଆନ୍ଦ୍ରେ ରସେଲ ଅପରାଜିତ ୧୧ ବଲରୁ ୨୧ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୫ ରନ ସଂଗ୍ରହ କରିଥିଲା ।

ମୁମ୍ବାଇ ପକ୍ଷରୁ ଆଜି ଆଇପିଏଲ ପଦାର୍ପଣ କରିଥିବା ଅର୍ଜୁନ ତେନ୍ଦୁଲକର କେବଳ ୨ ଓଭର ବୋଲିଂ କରି ୧୭ ରନ ବ୍ୟୟ କରିଥିଲେ । ତେବେ ଡୁଆନ ଜାନସେନ ୪ ଓଭରରେ ସର୍ବାଧିକ ୫୩ ରନ ବ୍ୟୟ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତେବେ ସେ ଗୋଟିଏ ସଫଳତା ମଧ୍ୟ ହାସଲ କରିଥିଲେ । ହ୍ରିତିକ ସୋକିନ ୪ ଓଭରରେ ୩୪ ରନ ବ୍ୟୟ କରି ୨ଟି ୱିକେଟ ନେଇଥିବା ବେଳେ କାମେରନ ଗ୍ରୀନ, ପୀୟୁଷ ଚାୱଲା ଓ ରିଲେ ମେରେଡିଥଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ଏହାପରେ ୧୮୬ ରନର ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ । ପ୍ରଥମେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇନଥିବା ରୋହିତ ଶର୍ମା ପାଳି ଆରମ୍ଭ କରିବାକୁ ଈଶାନ କିସାନଙ୍କ ସହ ଆସିଥିଲେ । ତେବେ ରୋହିତ ୨୦ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ଧୂଆଁଧାର ପାଳି ଖେଳି ୨୫ ବଲରୁ ଦୃତ ୫୮ ରନ ସଂଗ୍ରହ କରିଥିଲେ ଈଶାନ କିସାନ । ତେବେ ଦଳୀୟ ସ୍କୋର ୮୭ ରନ ବେଳେ ସେ ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ପାଲଟିଥିଲେ । ଏହାପରେ ଫର୍ମ ଖୋଜୁଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଜି ଭଲ ପ୍ରଦର୍ଶନ କରିଥିଲେ । ସେ ୨୫ ବଲରୁ ୪୩ ରନ କରି ଆଉଟ ହେବା ପରେ ତିଲକ ବର୍ମା ଓ ଟିମ ଡେଭିଡ ପାଳି ସମ୍ଭାଳିଥିଲେ । ତିଲକ ୨୫ ବଲରୁ ୩୦ ରନ କରି ଆଉଟ ହୋଇଥିବା ବେଳେ ଡେଭିଡ ଅପରାଜିତ ୨୪ ରନ କରି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ ।

ସେପଟେ କୋଲକାତା ପକ୍ଷରୁ ସୂୟଶ ଶର୍ମା ୪ ଓଭର ବୋଲିଂ କରି ୨୭ ରନ ବ୍ୟୟରେ ୨ଟି ୱିକେଟ ହାତେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ ଓ ଲକି ଫର୍ଗୁସନ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଉମେଶ ଯାଦବ, ସୁନୀଲ ନାରାୟଣ ଓ ଆନ୍ଦ୍ରେ ରସେଲ ଆଜି କୌଣସି ୱିକେଟ ହାସଲ କରିପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details