ଲକ୍ଷ୍ନୌ: ଦିନକୁ ଦିନ ଆଇପିଏଲ 2023 ପଏଣ୍ଟ ଟେବୁଲ ସ୍ଥିତି ଜଟିଳ ହେଉଥିବା ବେଳେ ଆଜି ମୁମ୍ବାଇ ଠାରୁ 5 ରନରେ ରୋମାଞ୍ଚକର ବିଜୟ ସହିତ ଏହାକୁ ଆହୁରି ଜଟିଳ କରିଛି ଲକ୍ଷ୍ନୌ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ 20 ଓଭରରେ 177 ରନ କରିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ହେଲେ ଏହାର ମୁକାବିଲାରେ 172 ରନରେ ଅଟକି ଯାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ଏହି ମ୍ୟାଚକୁ 5 ରନରେ ଲକ୍ଷ୍ନୌ ଜିତି ନେଇଛି ।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଲକ୍ଷ୍ନୌକୁ ଭଲ ଆରମ୍ଭ ମିଳିପାରିନଥିଲା । ଦୀପକ ହୁଡ୍ଡା ମାତ୍ର 5 ରନ କରି ଆଉଟ ହୋଇଥିବା ବେଳେ ଏହାର ପର ବଲରେ ହିଁ ଖାତା ଖୋଲିବା ପୂର୍ବରୁ ପ୍ରେରକ ମଙ୍କଡଙ୍କୁ ପାଭିଲିୟନ ଫେରାଇଇଥିଲେ ଜାଶନ ବେରେନଡର୍ଫ । ସେପଟେ କ୍ବିଣ୍ଟନ ଡିକକ୍ ମଧ୍ୟ କେବଳ 16 ରନ କରି ଆଉଟ ହୋଇଯାଇଥିଲେ । ତେବେ ଏହାପରେ ପରିସ୍ଥିତିକୁ ଅଧିନାୟକ କୃଣାଲ ପାଣ୍ଡ୍ୟାଙ୍କ ସହ ମିଶି ସମ୍ଭାଳିଥିଲେ ମାର୍କସ ଷ୍ଟୋଇନିସ । ଉଭୟଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ 42 ବଲରୁ 49 ରନ କରି ଆହତ କାରଣରୁ ପାଭିଲିୟନ ଫେରିଯାଇଥିଲେ ପାଣ୍ଡ୍ୟା । ଏହାପରେ ଗୋଟିଏ ପଟେ ନିକୋଲସ ପୁରନ ପାଳି ତୁଲାଉଥିବା ବେଳେ ଅନ୍ୟପଟେ ମୁମ୍ବାଇ ବୋଲରଙ୍କୁ ଆକ୍ରମଣ କରିଥିଲେ ଷ୍ଟୋଇନିସ । ସେ 47 ବଲରୁ 8 ଛକା ଓ 4 ଚୌକା ବଳରେ ଦୃତ 89 ରନ କରି ଦଳକୁ 177 ରନରେ ପହଞ୍ଚାଇଥିଲେ ।
ମୁମ୍ବାଇ ପକ୍ଷରୁ ଜାଶନ ବେରେନଡର୍ଫ 4 ଓଭରରେ 30 ରନ ଖର୍ଚ୍ଚ କରି 2ଟି ୱିକେଟ ହାସଲ କରିଥିଲେ । 3 ଓଭରରୁ 26 ରନ ବ୍ୟୟରେ ଗୋଟିଏ ୱିକେଟ ନେଇଥିଲେ ପୀୟୁଷ ଚାୱଲା । ଅନ୍ୟ କୌଣସି ବୋଲରଙ୍କୁ ଆଜି ଆଶାନୁରୂପ ସଫଳତା ମିଳିନଥିଲା । 4 ଓଭରରେ 50 ରନ ଖର୍ଚ୍ଚ କରି କ୍ରିସ ଜୋର୍ଦାନ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।