ଓଡିଶା

odisha

ETV Bharat / sports

IPL 2023 : ମାର୍କ ଉଡଙ୍କ ଆକ୍ରାମକ ବୋଲିଂ, 50 ରନରେ ହାରିଲା ଦିଲ୍ଲୀ - Delhi vs Lucknow

ଆଇପିଏଲ 2023ର ତୃତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ। ଏହି ମ୍ୟାଚରେ ଲକ୍ଷ୍ନୌ 50 ରନରେ ବିଜୟ ଲାଭ କରିଛି । ଅଧିକ ପଢନ୍ତୁ

IPL 2023 LSG beat DC by 50 runs
IPL 2023 LSG beat DC by 50 runs

By

Published : Apr 2, 2023, 1:06 AM IST

ଲକ୍ଷ୍ନୌ: ଆଇପିଏଲ 2023ର ତୃତୀୟ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ 50 ରନରେ ପରାଜୟର ସ୍ବାଦ ଚଖାଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀକୁ 194 ରନର ବିଶାଳ ଟାର୍ଗେଟ ଦେଇଥିଲା ଲକ୍ଷ୍ନୌ । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ବିନିମୟରେ ଏହି ସ୍କୋର କରିଥିଲା ଲକ୍ଷ୍ନୌ । ଜବାବରେ ଦିଲ୍ଲୀ ମାତ୍ର 143 ରନ କରିବାକୁ ସକ୍ଷମ ହୋଇ ପାରିଥିଲା । ଆଜିର ମ୍ୟାଚରେ ମାର୍କ ଉଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

IPL 2023 LSG beat DC by 50 runs

ପ୍ରଥମେ ଟସ ଜିତି ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର । ତେବେ ଲକ୍ଷ୍ନୌକୁ ଭଲ ଆରମ୍ଭ ମିଳିପାରିନଥିଲା । ଦଳୀୟ ସ୍କୋର 19 ରନ ବେଳେ ପାଭିଲିୟନ ମୁହାଁ ହୋଇଥିଲେ ଅଧିନାୟକ କେଏଲ ରାହୁଲ । ତେବେ ଏହାପରେ କାୟଲ ମାୟର୍ସ ପାଳି ସମ୍ଭାଳିଥିଲେ । ଗୋଟିଏ ପଟେ ଲକ୍ଷ୍ନୌ ବ୍ୟାଟର ନିଜ ୱିକେଟ ହରାଉଥିବା ବେଳେ କାୟଲ ମାୟର୍ସ ଲଗାତାର ବଡ଼ ସଟ ଖେଳିବା ଜାରି ରଖିଥିଲେ । ସେ ମୋଟ 38 ବଲରେ 73 ରନ କରିଥିଲେ । ଯେଉଁଥିରେ 7ଟି ଛକା ଓ 2ଟି 4 ସାମିଲ ରହିଛି । ଅନ୍ୟ ବ୍ୟାଟରଙ୍କୁ ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା ସେମାନେ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ନିକୋଲସ ପୁରାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ବ୍ୟକ୍ତିଗତ 20 ରନ ମଧ୍ୟ ପାର କରିପାରିନଥିଲେ ।

ଅନ୍ୟପଟେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ ବୋଲରମାନଙ୍କ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ତେବେ ଲକ୍ଷ୍ନୌ ବ୍ୟାଟରଙ୍କ ଟାର୍ଗେଟକୁ ଆସିଯାଇଥିଲେ ଚେତନ ସାକାରିୟା । ସେ ମୋଟ 4 ଓଭର ବୋଲିଂ କରି 53 ରନ ଖର୍ଚ୍ଚ କରିଛନ୍ତି । ତେବେ ସେ 2ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଖଲିଲ ଅହମ୍ମଦ 2ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀକୁ 194 ରନର ବିଶାଳ ଟାର୍ଗେଟ ମିଳିଥିଲା ।

ଜବାବରେ ଏହି ଟାର୍ଗେଟର ପିଛା କରିବାକୁ ଆସି ଦିଲ୍ଲୀ ଆକ୍ରାମକ ଆରମ୍ଭ କରିଥିଲା । ମାତ୍ର 5 ଓଭରରେ ଦିଲ୍ଲୀ 40 ରନ ସଂଗ୍ରହ କରିଥିଲା । ତେବେ ଏହାପରେ ଦଳୀୟ ସ୍କୋର 41 ରନ ବେଳେ ପୃଥ୍ବୀ ଶ'ଙ୍କ ୱିକେଟ ହରାଇଥିଲା ଦିଲ୍ଲୀ । ଏହାପରେ ତୁରନ୍ତ ମିଚେଲ ମାର୍ଶଙ୍କୁ ମଧ୍ୟ ହରାଇଥଲା । ଯାହା ଫଳରେ ଦିଲ୍ଲୀ ଟିମ ଚାପଗ୍ରସ୍ତ ହୋଇଥିଲା । ଜଗିରଖି ଖେଳିବା ଆରମ୍ଭ କରିଥିଲେ ଅଧିନାୟକ ଡେଭିଡ ୱାର୍ନର । ସେ ମୋଟ 48 ବଲରେ 56 ରନ କରିଛନ୍ତି । ଯେଉଁଥିରେ 7ଟି ଚୌକା ଶାମିଲ ରହିଛି । ଅନ୍ୟ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ଦିଲ୍ଲୀର 7 ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ବି କରିପାରିନଥିଲେ । ରିଲେ ରୁଶୋ 20ଟି ବଲରୁ 30 ରନ କରି ଆଉଟ ହୋଇଥିଲେ । ଏହା ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା ।

ସେପଟେ ଲକ୍ଷ୍ନୌ ବୋଲର ଦିଲ୍ଲୀ ବ୍ୟାଟରଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇନଥିଲେ । ମାର୍କ ଉଡ୍ ଆକ୍ରାମକ ବୋଲିଂ କରି ଦିଲ୍ଲୀ ବ୍ୟାଟିଂକ୍ରମକୁ ଧ୍ବସ୍ତ କରିଦେଇଥିଲେ । ସେ 4 ଓଭର ବୋଲିଂ କରି ମାତ୍ର 14 ରନ ଖର୍ଚ୍ଚ କରିଥିବା ବେଳେ 5ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭେଶ ଖାନ ଓ ରବି ବିଷ୍ଣୋଇ 2ଟି ଲେଖାଏଁ ୱିକେଟ ନେଇଥିଲେ ।ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ 9 ୱିକେଟ ବିନିମୟରେ 143 ରନ ହିଁ କରିବାକୁ ସକ୍ଷମ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details