ନୂଆଦିଲ୍ଲୀ:କୋଲକାତା ନାଇଟ ରାଇଡର୍ସକୁ ଶକ୍ତ ଝଟକା ଲାଗିଛି । ଚଳିତ ଆଇପିଏଲ ସିଜନରେ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ଥିବା କେକେଆର ପାଇଁ ଚିନ୍ତାଜନକ ଖବର ମିଳିଛି । ଦଳର ଅଭିଜ୍ଞ ଅଲରାଉଣ୍ଡର ତଥା ବାଂଲାଦେଶର ସାକିବ ଅଲ ହାସନ ଚଳିତ ଆଇପିଏଲରୁ ଓହରି ଯାଇଛନ୍ତି ଯାହା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ସାକିବ ଆପିଏଲରୁ ଓହରି ଯିବା ଦଳକୁ ଏକ ଶକ୍ତ ଧକ୍କା ଦେଇଛି ।
ଅନ୍ତର୍ଜାତୀୟ କ୍ରିକେଟ ଓ ବ୍ୟକ୍ତିଗତ କାରଣ ପାଇଁ ସାକିବ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ନିକଟରୁ ପରାସ୍ତ ହୋଇଥିଲା କେକେଆର । ପରବର୍ତ୍ତୀ ମ୍ୟାଚ ବେଳକୁ ସାକିବ ଦଳରେ ଯୋଗ ଦେବେ ବୋଲି ଆଶା କରାଯାଉଥିବା ମାତ୍ର ତାହା ଆଶାରେ ରହିଛି । ଆଇପିଏଲରେ ଉପଲବ୍ଧ ନ ହେବା ନେଇ ତାଙ୍କ ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସକୁ ଜଣାଇଛନ୍ତି । ବାଂଲାଦେଶର ଅନ୍ୟତମ ଖେଳାଳି ଲିଟନ ଦାସ ଚଳିତ ସପ୍ତାହ ଶେଷ ଭାଗରେ ଦଳରେ ଯୋଗ ଦେବେ ବୋଲି ଜଣାପଡିଛି ।
ସାକିବଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସାକିବଙ୍କୁ 1.5 କୋଟି ଟଙ୍କାରେ କିଣିଥିଲା କୋଲକାତା । ଆଇପିଏଲରେ ସେ 71ଟି ମ୍ୟାଚ ଖେଳି 793 ରନ ସଂଗ୍ରହ କରିଛନ୍ତି । ସେଥିରେ ତାଙ୍କ ନାମରେ 2ଟି ଅର୍ଦ୍ଧଶତକ ରହିଛି । ଏହାସହିତ 63ଟି ୱିକେଟ ଅକ୍ତିଆର କରିଛନ୍ତି । 2012 ଓ 2014ରେ ଆଇପିଏଲ ଚମ୍ପିଅନ ହୋଇଥିବା କେକେଆର ଦଳର ସଦସ୍ୟ ଥିଲେ ସାକିବ ।