ଅହମ୍ମଦାବାଦ: ଘରୋଇ ଗ୍ରାଉଣ୍ଡରେ 55 ରନରେ ମୁମ୍ବାଇ ଠାରୁ ବଡ଼ ବିଜୟ ହାସଲ କରିଛି ଗୁଜରାଟ । ଆଇପିଏଲ 2023ର 35 ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି 207 ରନ କରିଥିଲା ଗୁଜରାଟ । ତେବେ ଏହି ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ 152 ରନରେ ଅଟକି ଯାଇଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ 55 ରନରେ ଏକ ବଡ଼ ବିଜୟ ସହିତ ବହୁମୂଲ୍ୟ 2 ପଏଣ୍ଟ ହାସଲ କରିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ।
ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିଲା ଗୁଜରାଟ ଟାଇଟନ୍ସ । କେବଳ 4 ରନ କରି ପ୍ରଥମେ ଆଉଟ ହୋଇଥିଲେ ରିଦ୍ଧିମାନ ଶାହା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜି ସେଭଳି କୌଣସି କମାଲ କରିପାରିନଥିଲେ । ସେ 14 ବଲରୁ 13 ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ଦୃତଗତିରେ ରନ କରି ଚାଲିଥିବା ଶୁଭମନ ଗିଲ ଆଜି ମ୍ୟାଚରେ ଦଳ ପାଇଁ ସର୍ବାଧିକ 56 ରନ କରିଥିଲେ । ଏଥିରେ 7 ଚୌକା ଓ ଗୋଟିଏ ଛକା ସାମିଲ ରହିଥିଲା । ବିଜୟ ଶଙ୍କର 19 ରନ କରି ଆଉଟ ହେବାପରେ ଡେଭିଡ ମିଲର ଓ ଅଭିନବ ମନୋହର ମୁମ୍ବାଇ ବୋଲରଙ୍କୁ ଆକ୍ରମଣ କରିଥିଲେ । ମିଲର 22 ବଲରୁ 2 ଚୌକା ଓ 4 ଛକା ବଳରେ 46 ରନ କରି ଆଉଟ ହୋଇଥିବା ବେଳେ 21 ବଲରୁ 3ଟି ଲେଖାଏଁ ଛକା ଓ ଚୌକା ଯୋଡ଼ି 42 ରନ କରି ଆଉଟ ହୋଇଥିଲେ ଅଭିନବ ମନୋହର । ଏହାପରେ ରାହୁଲ ତେୱତିଆ ଆସି 5ଟି ବଲ ଖେଳି 3 ଛକା ବଳରେ 20 ବ୍ୟକ୍ତିଗତ ରନ ସହିତ ଦଳକୁ 207ରେ ପହଞ୍ଚାଇଥିଲେ ।
ମୁମ୍ବାଇ ପକ୍ଷରୁ ପୀୟୁଷ ଚାୱଲା ଦଳ ପାଇଁ ସର୍ବାଧିକ 2ଟି ୱିକେଟ ନେଇଥିଲେ । ଅର୍ଜୁନ ତେନ୍ଦୁଲକର, ଜାଶନ ବେରେନଡ୍ରଫ, ରିଲେ ମେରେଡିଥ ଓ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ତେବେ କାମେରନ ଗ୍ରୀନ ମାତ୍ର 2 ଓଭର ବୋଲିଂ କରି 39 ରନ ଖର୍ଚ୍ଚ କରିଥିଲେ । ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।