ନୂଆଦିଲ୍ଲୀ: ରୋମାଞ୍ଚ ଭରା ରହିଛି ଚଳିତ ଆଇପିଏଲ ସଂସ୍କରଣ । ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ ଚଳିତ ସିଜନର 44ତମ ମ୍ୟାଚ ଖେଳାଯିବ । ଏଥିରେ ପଏଣ୍ଟ ଟେବୁଲ ଶୀର୍ଷରେ ଓ ଶେଷରେ ଥିବା ଦୁଇ ଦଳ ମଧ୍ୟରେ ମୁକାବିଲା ଖେଳାଯିବ । ଅର୍ଥାତ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଶକ୍ତିଶାଳୀ ଗୁଜୁରାଟ ଟାଇଟନ୍ସ ତାର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ ।
GT vs DC:ଡିଫେଣ୍ଡିଂ ଚମ୍ପିଆନ୍ ଗୁଜୁରାଟ ଚଳିତ ସିଜନରେ ମଧ୍ୟ ତାର ଆଧିପତ୍ୟ ବିସ୍ତାର କରିଛି । ଏଯାବତ ଦଳ 8ଟି ମ୍ୟାଚ ଖେଳି 6ଟି ବିଜୟ ହାସଲ କରିଛି । 12 ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି । ଆଜି ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀକୁ ଭେଟିବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟାନ୍ସ । ଦିଲ୍ଲୀ ଚଳିତ ସିଜନର ଏଯାବତ ବିଫଳ ଦଳ ସାବ୍ୟସ୍ତ ହୋଇଛି । ମୋଟ 8ଟି ମ୍ୟାଚ ଖେଳି 2ଟି ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶେଷରେ ରହିଛି । ଆଜି ଶୀର୍ଷ ବନାମ ଶେଷ ଦଳ ମଧ୍ୟରେ ଟକ୍କର ହେବ । ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିବା ଗୁଜୁରାଟକୁ ହରାଇ ଇତିହାସ ଲେଖିବା ଲକ୍ଷ୍ୟରେ ରହିଛି ଡେଭିଡ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦିଲ୍ଲୀକୁ ପରାସ୍ତ କରି ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛି ଗୁଜୁରାଟ ଟାଇଟନ୍ସ ।
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଗୁଜୁରାଟ ବିପକ୍ଷ ମ୍ୟାଚ୍ ଅଗ୍ନି ପରୀକ୍ଷା ସଦୃଶ ହେବ । ଆଜିର ମୁକାବିଲା ଜିତିବାକୁ ହେଲେ ଦିଲ୍ଲୀକୁ କିଛି ଯାଦୁ କରିବାକୁ ପଡିବ । ଚଳିତ ସିଜନରେ ଦିଲ୍ଲୀ 5ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଏଥର ଏବେ ଯାଏଁ ଶେଷରେ ରହିଛି । ଟାଇଟାନ୍ସ ତାର ଶେଷ ମୁକାବିଲାରେ କେକେଆରକୁ ପରାସ୍ତ କରିଥିଲା । ବିଜୟ ଶଙ୍କର ଧୂଆଁଧାର ପାଳି ଖେଳିଥିଲେ । 7 ୱିକେଟରେ କୋଲକାତାକୁ ପରାସ୍ତ କରିଥିଲା ଗୁଜୁରାଟ । ଦିଲ୍ଲୀ ତାର ଶେଷ ମୁକାବିଲାରେ 9ରନରେ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା । ଲଗାତାର ପଞ୍ଚମ ପରାଜୟ ପରେ ବିଜୟ ସ୍ବାଦ ଚାଖିଥିଲା ଦିଲ୍ଲୀ । ଦିଲ୍ଲୀ ଓ ଗୁୁଜୁରାଟ ମଧ୍ୟରେ 2ଟି ମ୍ୟାଚ ଖେଳାଯାଇଛି ଗୁଜୁରାଟ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି । ପ୍ରଦର୍ଶନକୁ ଦେଖିଲେ ଗୁଜୁରାଟ ପଲ୍ଲା ଭାରି ରହିିଛି ।