ଚେନ୍ନାଇ:ଆଇପିଏଲ ୨୦୨୩ରେ ଜାରି ରହିଛି ରୋମାଞ୍ଚକର ଫାଇଟ । ଆଜି ଏହି ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟର ୧୭ ତମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ଏଥିରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ତେବେ ଆଜିର ମ୍ୟାଚ ମଧ୍ୟ ରୋମାଞ୍ଚକ ରହିଥିଲା । ଶେଷ ବଲ ପର୍ଯ୍ୟନ୍ତ କେଉଁ ଟିମ ମ୍ୟାଚ ହାତେଇବ, ତାହା ସ୍ପଷ୍ଟ ହୋଇପାରି ନଥିଲା । 176 ରନ ବିଜୟ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ମାତ୍ର 4 ରନରେ ପରାଜୟ ବରଣ କରିଛି ଚେନ୍ନାଇ ।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ସେତେ ଭଲ ହୋଇନଥିଲା । ଦଳୀୟ ସ୍କୋର ୧୧ ରନ ହୋଇଥିବା ବେଳେ ପାଭିଲିୟନ ମୁହାଁ ହୋଇଥିଲେ ୟଶଶ୍ବୀ ଜୟସ୍ବାଲ । ସେ କେବଳ ୧୦ ରନ କରି ତୁଷାର ଦେଶପାଣ୍ଡେଙ୍କ ବଲରେ ଶିବମ ଦୁବେଙ୍କ ହାତରେ ଧରା ପଡ଼ିଥିଲେ । ତେବେ ଏହାପରେ ଦଳର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଜୋଶ ବଟଲର ଏବଂ ଦେବଦତ୍ତ ପାଡିକଲଙ୍କ ମଧ୍ୟରେ ଏକ ଆଖିଦୃଶିଆ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ଦ୍ରୁତ ଗତିରେ ଦଳୀୟ ଖାତାରେ ରନ ଯୋଡ଼ି ଚାଲିଥିଲା ବେଳେ ରବିନ୍ଦ୍ର ଜାଡେଜାଙ୍କ ବଲର ଶିକାର ହୋଇଥିଲେ ପାଡିକଲ । ସେ ୨୬ ବଲରୁ ୩୮ ରନ କରି ପାଭିଲିୟନ ଫେରିଥିଲେ । ସେହି ଓଭରରେ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ କରିବାକୁ ଆସି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଚାଲିଯାଇଥିଲେ । ଅଶ୍ବିନ ଓ ହେଟମେୟର ଉଭୟ 30 ଲେଖାଏଁ ରନ କରିଛନ୍ତି । ହେଟମେୟର ନଟ ଆଉଟ ରହିଥିବା ବେଳେ ବଟଲର ଅର୍ଦ୍ଧଶତକ କରି ପାଭିଲିୟନ ଫେରିଥିଲେ । ଯାହା ଫଳରେ ଦଳୀୟ ସ୍କୋର 8 ୱିକେଟ ବନିମୟରେ 175ରେ ପହଞ୍ଚିଥିଲା ।
ଚେନ୍ନାଇ ପକ୍ଷରୁ ଆକାଶ ସିଂହ, ତୁଷାର ଦେଶପାଣ୍ଡେ ଓ ରବିନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମୋଇନ ଅଲ୍ଲୀ ଗୋଟିଏ ୱିକେଟ ନେଇଛନ୍ତି । ଦଳ ପାଇଁ ମହିଶ ତିକ୍ଷାଣା ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ସେ 4 ଓଭରରେ 42 ରନ ଖର୍ଚ୍ଚ କରିଛନ୍ତି ।