ଓଡିଶା

odisha

By

Published : Sep 19, 2021, 6:28 PM IST

ETV Bharat / sports

IPL 2021: ପଏଣ୍ଟ ଟେବୁଲରେ କିଏ କେଉଁଠି ? ଜାଣନ୍ତୁ...

ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ...

IPL 2021: Where the teams stand as the second phase of leg begins
IPL 2021: ପଏଣ୍ଟ ଟେବୁଲର କିଏ କେଉଁଠି ? ଜାଣନ୍ତୁ...

ହାଇଦ୍ରାବାଦ:ପୁଣି ଫେରିଛି ଆଇପିଏଲ ଋତୁ । ଫଟାଫଟ କ୍ରିକେଟର ଶ୍ରେଷ୍ଠ ଲିଗ୍‌ରେ ବିଶ୍ବ କ୍ରିକେଟ'ର ଷ୍ଟାର ଖେଳାଳି କରିବେ କମାଲ । ଛକା, ଚୌକା, ୟର୍କର ସୁପର ଓଭରର ରୋମାଞ୍ଚରେ ଝୁମିବେ ଦର୍ଶକ । ନିଜ ପସନ୍ଦର ଟିମକୁ ବିଜୟୀ ସହ ଚମ୍ପିଆନ ହେବା ଦେଖିବେ କ୍ରିକେଟ ଫ୍ୟାନ୍ସ । ଶେଷ ହୋଇଛି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଅପେକ୍ଷା । ସେପଟେ ଆଗକୁ ଟି-୨୦ ବିଶ୍ବକପ ଏହି ଷ୍ଟାଡିୟମ ଗୁଡିକରେ ଖେଳାଯିବାକୁ ଥିବାରୁ ବିଶ୍ବ କ୍ରିକେଟର ନଜର ଏବେ ଏହି ଲିଗ୍‌ ଉପରେ କେନ୍ଦ୍ରୀଭୂତ ହେବାକୁ ଯାଉଛି । COVID ସ୍ଥିତି ଯୋଗୁଁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ରବିବାର ସନ୍ଧ୍ୟାରୁ ଆରମ୍ଭ ହେଉଛି ।

ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ।

ତେବେ ନଜର ପକାନ୍ତୁ, କେମିତି ରହିଛି ସବୁ ଟିମର ସ୍ଥିତି ? ପଏଣ୍ଟ ଟେବୁଲର କେଉଁ ସ୍ଥାନରେ ରହିଛି କେଉଁ ଟିମ ? ପ୍ଲେ ଅଫ୍‌ ଦୌଡରେ କିଏ ଆଗରେ କିଏ ସବୁଠୁ ପଛରେ ?

ଦିଲ୍ଲୀ କ୍ୟାପିଟାଲ୍ସ: ଟେବୁଲ ଟପର ରହିଛି ଋଷଭ ପନ୍ତଙ୍କ ଟିମ ଦିଲ୍ଲୀ କ୍ୟାପିଟାଲ୍ସ । ନାମ ଓ ନେତୃତ୍ବ ବଦଳିବା ପରେ ଯେପରି ଏହି ଫ୍ରାଞ୍ଚାଇଜର ବଦଳିଯାଇଛି ଭାଗ୍ୟ । ୮ଟି ମ୍ୟାଚ୍‌ରୁ ୬ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ । ଫଳରେ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିବାକୁ ଟିମକୁ ଦରକାର ଆଉ ଦୁଇଟି ବିଜୟ । ଟିମର ପ୍ରମୁଖ ଅସ୍ତ୍ର ସହିତ ବିଜୟର କର୍ଣ୍ଣଧାର ସାଜିଛନ୍ତି ଦୁଇ ଓପନର ପୃଥ୍ବୀ ଶ ଓ ଶିଖର ଧାୱନ । ଶ୍ରେୟସ ଆୟର ଫେରିବା ପରେ ମଧ୍ୟକ୍ରମ ବ୍ୟାଟିଂକ୍ରମ ମଧ୍ୟ ଶକ୍ତିଶାଳୀ ହୋଇଛି । UAEର ସ୍ପିନ୍‌ ଅନୁକୂଳ ପିଚ୍‌ରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲ କମାଲ କରିବାକୁ ପ୍ରସ୍ତୁତ ।

ଓହରିଥିବା ଖେଳାଳି: କ୍ରିସ ୱର୍କ୍ସ

ବାଦ୍‌/ଆହତ: ଏମ ସିଦ୍ଧାର୍ଥ, ଅନିରୁଦ୍ଧ ଜୋଶୀ

ବଦଳ ଖେଳାଳି: ବେନ ଡ୍ବାର୍ସୁଇସ, କଲୱାନ୍ତ ଖେଜ୍ରୋଲିୟା, ଶ୍ରେୟସ ଆୟର

ଚେନ୍ନାଇ ସୁପର କିଙ୍ଗ୍ସ: ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ଟିମ ଯଦି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟର ଫର୍ମ ବଜାୟ ରଖିବାରେ ସଫଳ ହୁଏ, ତେବେ ପ୍ଲେ-ଅଫ୍‌ ଟିକେଟ ହାତେଇବାକୁ ଅସୁବିଧା ହେବନାହିଁ । ନେଟ୍‌ ରନ ରେଟ୍‌ ମଧ୍ୟ (+୧.୨୬) ସକରାତ୍ମକ ରହିଛି । ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ ଖେଳାଯିବାର ପ୍ରାୟ ଗୋଟିଏମାସ ପୂର୍ବରୁ ଦୁବାଇରେ CSK ଖେଳାଳି ପ୍ରସ୍ତୁତି କରିଛନ୍ତି । କ୍ବାରେଣ୍ଟିନ ଅବଧି ଶେଷ କରିନଥିବାରୁ ସାମ କରନ ମୁମ୍ବାଇ ବିପକ୍ଷ ଆଜିର ମ୍ୟାଚ୍‌ରେ ନଜର ଆସିବେ ନାହିଁ । CPL ଖେଳି ଫେରିଥିବା ଫାଫ୍‌ ଡୁପ୍ଲେସିସ ଓ ଡ୍ବାଇନ ବ୍ରାଭୋଙ୍କ ଫିଟନେସ୍‌ ନେଇ ମଧ୍ୟ ସନ୍ଦେହ ରହିଛି ।

ପରିବର୍ତ୍ତନ: କୌଣସି ନାହିଁ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:ବିରାଟ କୋହଲିଙ୍କ ନେତୃତ୍ବରେ ଆରସିବି ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପ୍ରଦର୍ଶନ ଦୃଷ୍ଟିରୁ ଏହି ସଂସ୍କରଣ ବାଙ୍ଗାଲୋର ପାଇଁ ଶ୍ରେଷ୍ଠ ସଂସ୍କରଣ ହୋଇଛି । ଟିମ ଖେଳିଥିବା ପ୍ରଥମ ୭ଟି ମ୍ୟାଚରୁ ୫ଟିରେ ବିଜୟୀ ହୋଇଛି । ଦୁଇଟି ପରାଜୟ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମିଳିଛି । ଫଳରେ ୧୦ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ସୁରକ୍ଷିତ ରହିଛି । ଲିଗ୍‌ର ପ୍ରଥମ ପର୍ଯ୍ୟାୟରେ ସ୍ଥିର ପ୍ରଦର୍ଶନ କରିଥିବା ଏବି ଡି ଭିଲିୟର୍ସଙ୍କ ବ୍ୟତୀତ ଗ୍ଳେନ ମାକ୍ସୱେଲ ଓ ଦେବଦତ୍ତ ପାଦିକ୍କଲଙ୍କ ପ୍ରଦର୍ଶନ ଉପରେ ଟିମ ନିର୍ଭର କରିବ । କ୍ୟାପଟେନ ବିରାଟ କୋହଲିଙ୍କ ପଖରେ ମଧ୍ୟ ନିଜର ଫର୍ମ ସୁଧାରିବାକୁ ସୁବର୍ଣ୍ଣ ସୁଯୋଗ ରହିଛି ।

ଓହରିଥିବା ଖେଳାଳି: ଆଡାମ ଜାମ୍ପା, କେନ ରିଚାର୍ଡସନ, ଫିନ ଆଲେନ, ଡାନିଏଲ ସାମ୍ସ, ୱାସିଂଟନ ସୁନ୍ଦର

ବଦଳ ଖେଳାଳି: ୱାହିନ୍ଦୁ ହସରଙ୍ଗା, ଦୁଷ୍ମନ୍ତ ଚମୀରା, ଟିମ ଡେଭିଡ, ଜର୍ଜ ଗାର୍ଟନ, ଆକାଶ ଦୀପ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମାଙ୍କ ଚମତ୍କାର ନେତୃତ୍ବ ବଳରେ ମୁମ୍ବାଇ ଲଗାତାର ତୃତୀୟ ଓ ମୋଟ ଭାବେ ଷଷ୍ଠ IPL ଟାଇଟେଲ ହାତେଇବାକୁ ପ୍ରସ୍ତୁତ ହେଉଛି । ଗତ ସଂସ୍କରଣର ଟାଇଟେଲ UAEରେ ଜିତିଥିବାରୁ ମୁମ୍ବାଇ ପାଇଁ ଏହି ସଂସ୍କରଣ ମଧ୍ୟ ସହଜ ରହିଛି । ୭ଟି ମ୍ୟାଚରୁ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥରେ ରହିଛି MI । ଲିଗ୍‌ର ପ୍ରଥମ ପର୍ଯ୍ୟାୟରେ ଧୀମା ଆରମ୍ଭ ପରେ ଟ୍ରାକ୍‌କୁ ଫେରିଛି । ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଫର୍ମ ଉପରେ ସମସ୍ତଙ୍କ ନଜର ରହିଛି ।

ବାଦ୍‌/ଆହତ: ମୋହସିନ ଖାନ

ବଦଳ ଖେଳାଳି: ରୋଷ କାଲାରିଆ

ରାଜସ୍ଥାନ ରୟାଲ୍ସ: ଆର୍ଚର ଓ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଓ ଅନ୍ୟ କିଛି ବିଦେଶୀ ଷ୍ଟାର ଖେଳାଳି ଓହରିଯିବା ଟିମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜସ ବଟଲର ଓହରିଯିବା ମଧ୍ୟ ଟିମ ପାଇଁ ଅନ୍ୟ ଏକ ବଡ ଝଟକା ହୋଇଛି । ଏଯାବତ ପ୍ରଥମ ପର୍ଯ୍ୟାୟରେ ଟିମ ଖେଳିଥିବା ୭ଟି ମ୍ୟାଚରୁ ୩ଟିରେ ବିଜୟ ଓ ୪ଟିରେ ପରାଜୟ ସହିତ ତାଲିକାର ପଞ୍ଚମ ସ୍ଥାନରେ ରହିଛି ରାଜସ୍ଥାନ । ବୋଲିଂ ବିଭାଗ କ୍ରିସ ମୋରିସଙ୍କ ଉପରେ ନିର୍ଭର କରିବ । ବ୍ୟାଟିଂରେ ଲିଆମ ଲିଭିଂଷ୍ଟୋନ ଓ ଏଭିଲ ଲିୱିସଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା ରଖିବ ଟିମ । ଟି-୨୦ରେ ନମ୍ବର ୧ ବୋଲର ତାବ୍ରେଜ ସାମସିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

ଓହରିଥିବା ଖେଳାଳି: ଜସ ବଟଲର, ବେନ ଷ୍ଟୋକ୍ସ, ଜୋଫ୍ରା, ଆର୍ଚର, ଆଣ୍ଡ୍ରି ଟାଇ

ବଦଳ ଖେଳାଳି: ଗ୍ଳେନ ଫିଲିପ୍ସ, ଏଭିନ ଲିୱିସ, ଓସାନେ ଥୋମାସ ଓ ତାବ୍ରେଜ ସାମସି ।

ପଞ୍ଜାବ କିଙ୍ଗ୍ସ:ଲିଗ୍‌ର ପ୍ରଥମ ପର୍ଯ୍ୟାୟରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା ପଞ୍ଜାବ । ମୋଟ ୮ଟି ଟିମ ମଧ୍ୟରେ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କେଏଲ ରାହୁଲଙ୍କ ନେତୃତାଧୀନ ଟିମ ମାତ୍ର ୩ଟି ମ୍ୟାଚରେ ବିଜୟୀ ହେବାକୁ ସମର୍ଥ ହୋଇପାରିଥିଲା । ଫଳରେ ପ୍ଲେ ଅଫ୍‌ ଦୌଡରେ ରହିବାକୁ ହେଲେ ବାକିଥିବା ୬ଟି ମ୍ୟାଚରୁ ଟିମକୁ ଅତିକମ୍‌ରେ ୫ଟି ମ୍ୟାଚରେ ବିଜୟୀ ହେବାକୁ ପଡିବ । ରାହୁଲ, ଅଗ୍ରୱାଲ ଓ ସାମିଙ୍କ ପ୍ରଦର୍ଶନ ଉପରେ ପୁନଃ ଟିମର ଭାଗ୍ୟ ନିର୍ଭର କରୁଛି ।

ଓହରିଥିବା ଖେଳାଳି: ଡେୱିଡ ମଲାନ, ରିଲେ ମେରିଡିଥ, ଜୋ ରିଚାର୍ଡସନ

ବଦଳ ଖେଳାଳି: ଆଡନ ମାର୍କରମ, ନାଥନ ଏଲିସ, ଆଦିଲ ରସିଦ

କୋଲକାତା ନାଇଟ ରାଇଡର୍ସ:KKR ପାଇଁ ଲିଗର ଦ୍ବିତୀୟ ପର୍ଯ୍ୟାୟ କର ବା ମର ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଟିମ ଖେଳିବାକୁ ଥିବା ସମସ୍ତ ୭ଟି ମ୍ୟାଚ୍‌ରୁ ବିଜୟ ଆବଶ୍ୟକ କରୁଛି ।

ପ୍ରଥମ ପର୍ଯ୍ୟାୟରେ ଖେଳିଥିବା ୭ଟି ମ୍ୟାଚରୁ ମାତ୍ର ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଶୀର୍ଷକ୍ରମ ବ୍ୟାଟିଂ ଫେଲ ମାରିଥିବା ବେଳେ ମଧ୍ୟକ୍ରମ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇନାହିଁ । ତେବେ କ୍ୟାପଟେନ ମୋର୍ଗାନ ଓ ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ବ୍ୟାଟରେ କମାଲ କରିବେ ବୋଲି କୋଲକାତା ଆଶା ରଖିଛି ।

ବୋଲର ମଧ୍ୟ ଭାଗିଦାରୀ ଭାଙ୍ଗିବାକୁ ସଂଘର୍ଷ କରୁଥିବା ଦେଖାଯାଇଛି ।

ଓହରିଥିବା ଖେଳାଳି: ପାଟ କମିନ୍ସ

ବଦଳ ଖେଳାଳି: ଟିମ ସାଉଦୀ

ସନରାଇଜର୍ସ ହାଇଦ୍ରାବାଦ:IPL ର ଏହି ସଂସ୍କରଣର ପ୍ରଥମ ପର୍ଯ୍ୟାୟ ହାଇଦ୍ରାବାଦ ପାଇଁ କିଛି ବି ଠିକ୍‌ ନଥିଲା । ଖେଳିଥିବା ୭ଟି ମ୍ୟାଚ୍‌ରୁ ମାତ୍ର ୨ଟି ପଏଣ୍ଟ ହାସଲ କରିପାରିଛି ଅରେଞ୍ଜ ଆର୍ମୀ । ଡେଭିଡ ୱାର୍ଣ୍ଣରଙ୍କ ଖରାପ ଫର୍ମ ଟିମ ପାଇଁ ଚିନ୍ତାର କାରଣ ହୋଇଥିଲା । ମନୀଷ ପାଣ୍ଡେ, ଭୁବନେଶ୍ବର କୁମାର, ୱିଲିୟମସନଙ୍କ ଠାରୁ ମଧ୍ୟ ଭଲ ପ୍ରଦର୍ଶନ ଆଶା ରଖିଛି ଟିମ । ରସିଦ ଖାନ ପ୍ରତ୍ୟେକ ମ୍ୟାଚରେ କମାଲ କରିବା ଆଶାରେ ରହିଛି ଟିମ ।

ଓହରିଥିବା ଖେଳାଳି: ଜନ୍ନି ବେୟାରଷ୍ଟୋ

ବଦଳ ଖେଳାଳି: ସେରଫେନ୍‌ ରଦରଫୋର୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details