ଦୁବାଇ:ଆଜି(ଗୁରୁବାର) IPLରେ ଡବଲ୍ ହେଡର୍ ମ୍ୟାଚ୍ ଦେଖିବାକୁ ମିଳିବ । ଦୁବାଇରେ ଅପରାହ୍ନ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ ଭେଟିବ ପଞ୍ଜାବ କିଙ୍ଗ୍ସ(PBKS) । ସେହିପରି ସନ୍ଧ୍ୟା ୭ଟା ୩୦ ମିନିଟରେ କୋଲକାତା ନାଇଟ ରାଇଡର୍ସ (KKR)କୁ ଭେଟିବ ରାଜସ୍ଥାନ ରୟାଲ୍ସ (RR)। ଉଭୟ ମ୍ୟାଚ୍ ବେଶ୍ ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ହେବ । ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିବା ପାଇଁ ଆଜି ପ୍ରୟାସ କରିବ ଚେନ୍ନାଇ । କାହିଁକି ନା ଏହା ପୂର୍ବ ମ୍ୟାଚରେ ଦିଲ୍ଲୀ ଠାରୁ ପରାଜୟ ହୋଇ ଚେନ୍ନାଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଖସିଆସିଥିଲା ।
ମୋଟ ୧୩ଟି ମ୍ୟାଚ ଖେଳି ୯ଟିରେ ବିଜୟ ହାସଲ କରିବା ସହ ୧୮ ପଏଣ୍ଟ ହାସଲ କରିଛି ସିଏସକେ । ସେପଟେ ପଞ୍ଜାବ ମୋଟ ୧୩ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୧୦ ପଏଣ୍ଟ ସହ ଏବେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେବେ ପ୍ଲେ ଅଫକୁ ପ୍ରବେଶ କରିବା ପାଇଁ ପଞ୍ଜାବ ନିକଟରେ ଏବେ ଆଉ ସୁଯୋଗ ନାହିଁ । କିନ୍ତୁ ବିଜୟୀ ହେବା ଆଶାରଖି ଆଜି ଫିଲ୍ଡକୁ ଓହ୍ଲାଇବ ଟିମ୍ ।