ଦୁବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୪୦ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ପ୍ଲେ-ଅଫ୍ ରେସ୍ ଦୃଷ୍ଟିରୁ ରାଜସ୍ଥାନ ପାଇଁ ଏହା ଶେଷ ସୁଯୋଗ ରହିଛି । ଅନ୍ୟପଟେ ପଏଣ୍ଟ ଟେବୁଲର ଶେଷରେ ଥିବା ହାଇଦ୍ରାବାଦର ପ୍ଲେ-ଅଫ୍ ଆଶା ପ୍ରାୟତଃ ଶେଷ ହୋଇଯାଇଛି । ଫଳରେ ଏହି ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଉଭୟ ଟିମ ବିଜୟ ଲକ୍ଷ୍ୟରେ ରହିଛନ୍ତି ।
ଟସ୍ ଜିତି ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଚୁଡାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ ହୋଇଥିବା ସାମସନ କହିଛନ୍ତି । ଡେଭିଡ ମିଲର ଓ ତାବ୍ରିଜ ସାମସିଙ୍କ ସ୍ଥାନରେ କ୍ରିସ ମୋରିସ ଓ ଇଭିନ ଲିୱିସଙ୍କୁ ସାମିଲ କରଯାଇଛି । ସେହିପରି କାର୍ତ୍ତିକ ତ୍ୟାଗୀ ମଧ୍ୟ ଆହତ କାରଣରୁ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି ।
ଅନ୍ୟପଟେ ଚୁଡାନ୍ତ ଏକାଦଶରେ ସନରାଇଜର୍ସ ବଡ ଅଦଳବଦଳ ହୋଇଥିବା କହିଛନ୍ତି କ୍ୟାପଟେନ କେନ ୱିଲିୟନସନ । ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ ଜେସନ ରୟ ଆଇପିଏଲ ଡେବ୍ୟୁ କରିଛନ୍ତି । ସେହିପରି ମନୀଷ ପାଣ୍ଡେ ଓ କେଦାର ଯାଦବଙ୍କ ସ୍ଥାନରେ ପ୍ରିୟମ ଗର୍ଗ ଓ ଅଭିଶେକ ବର୍ମାଙ୍କୁ ସୁଯୋଗ ମିଳିଛି । ଆହତ ଖଲିଲ ଅହମ୍ମଦଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ସାମିଲ କରାଯାଇଛି ।