ନୂଆଦିଲ୍ଲୀ:ଆରମ୍ଭ ହେବାକୁ ଯାଉଛି ସ୍ଥଗିତ ଥିବା ୨୦୨୧ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ୍ । ପୂର୍ବରୁ ଦେଶରେ COVID -୧୯ ମହାମାରୀର ଦ୍ବିତୀୟ ଲହର ସାଂଘାତିକ ସ୍ଥିତି ପାଇଁ IPLର ୧୪ତମ ସଂସ୍କରଣ ସଂପୂର୍ଣ୍ଣ ହୋଇପାରିନଥିଲା ।
IPL ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ସକାଳେ କ୍ୟାପଟେନ ରୋହିତ ଶର୍ମା, ଜଶପ୍ରୀତ ବୁମରା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସେମାନଙ୍କର ପରିବାର ସହିତ ଏକ ସ୍ବତନ୍ତ୍ର ବିମାନ ମାଞ୍ଚେଷ୍ଟରରୁ ଆବୁଧାବି ନେଇଛି । ସେଠାରେ ପହଞ୍ଚିବା ପରେ ଟିମର ଷ୍ଟାର ଖେଳାଳିଙ୍କୁ ସ୍ବାଗତ କରିଛି ଫ୍ରାଞ୍ଚାଇଜ ।
ମାଞ୍ଚେଷ୍ଟରର ଛାଡିବା ପୂର୍ବରୁ ଓ ଆବୁଧାବିରେ ପହଞ୍ଚିବା ପରେ ରୋହିତ, ସୂର୍ଯ୍ୟ ଓ ବୁମରାଙ୍କ RT-PCR COVID-19 ରିପୋର୍ଟ ନେଗେଟିଭ ରହିଥିଲା । ସମସ୍ତେ ଆବୁଧାବିରେ ୬ ଦିନ କ୍ବାରେଣ୍ଟିନରେ ରହିବାପରେ ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡରେ ସାମିଲ ହେବେ । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ଏକ ଅଫିସିଆଲ ଘୋଷଣାନାମାରେ ସ୍ପଷ୍ଟ କରିଛି ।
ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ମଧ୍ୟ ଶନିବାର ଦୁବାଇରେ ପହଞ୍ଚିବା ନେଇ ସୂଚନା ରହିଛି । ଟେଷ୍ଟ ମ୍ୟାଚ ବାତିଲ ହୋଇସାରିଛି, ଫଳରେ ଚେନ୍ନାଇ ଖେଳାଳିଙ୍କୁ ଦୁବାଇରେ ପହଞ୍ଚିବା ନେଇ ବ୍ୟବସ୍ଥା ହୋଇଥିବା କହିଛନ୍ତି CSK ସିଇଓ କାଶି ବିଶ୍ବନାଥନ ।