ଆବୁଧାବି: କୋଲକାତା ନାଇଟ ରାଇଡର୍ସ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମାତ୍ର ୯୨ ରନ୍ରେ ସମସ୍ତ ୱିକେଟ ହରାଇଛି ବିରାଟ କୋହଲିଙ୍କ RCB । ଫଳରେ KKR ସାମ୍ନାରେ ୯୩ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ର ରସେଲଙ୍କ ଘାତକ ବୋଲିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ସମର୍ଥ ହୋଇପାରିନଥିଲା । ୧୯ ଓଭର ମଧ୍ୟରେ ୯୨ ରନ୍ରେ ସମସ୍ତ ୱିକେଟ ହରାଇଥିଲା । ଆବୁଧାବିର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ KKR ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରିଥିଲେ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ । ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ । ଏପରିକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । ଦେବଦତ୍ତ ପାଦିକ୍କଲ ୨୦ ବଲ୍ରୁ ୩ ଚୌକା ସହିତ ୨୨ ରନ୍ର ଯୋଗଦାନ କରିଥିଲେ । ଶ୍ରୀକର ଭାରତ ୧୬ ଓ ମାକ୍ସୱେଲ ୧୦ ରନ୍ କରିଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭେଟେରାନ ଏବି ଡିଭିଲିୟର୍ସ ଫେଲ୍ ମାରିଥିଲେ ।