ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ(IPL 2022) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଗୁଜୁରାଟ ଟାଇଟନ୍ସର ବିଜୟ ଧାରା ଜାରି ରହିଛି । ଶନିବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୩ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ(RCB) ୬ ୱିକେଟରେ ହରାଇଛି ଟାଇଟନ୍ସ । ୧୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଗୁଜୁରାଟ ପୁଣି ଶେଷ ଓଭରରେ ବିଜୟୀ ହୋଇଛି ।
ରାହୁଲ ତେୱାତିଆ ଓ ଡେଭିଡ ମିଲର ପୁଣି ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଛନ୍ତି । ତେୱାତିଆ ୨୫ ବଲ୍ରୁ ୪୩ ଓ ମିଲର ୨୪ ବଲ୍ରୁ ୩୯ ରନ୍ର ଧୁଆଁଧାର ଇଂନିସ ଖେଳି ଗୁଜରାଟକୁ ଆଉ ଏକ ଦମଦାର ବିଜୟ ଭେଟି ଦେଇଛନ୍ତି । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଏହା ଗୁଜରାଟର ନବମ ମ୍ୟାଚ୍ରୁ ଅଷ୍ଟମ ଓ ଲଗାତାର ପଞ୍ଚମ ବିଜୟ । ଫଳରେ ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ ପ୍ଲେ-ଅଫ୍ ନିକଟତର ହୋଇଛି ।