ମୁମ୍ବାଇ:ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚରେ ଆହତ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର। ଏହାପରେ ଦିନିକିଆ ସିରିଜ ସହ ଆଇପିଏଲରୁ ବାଦ ପଡ଼ିଥିଲେ। ଏହାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜି ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରିଛି। ଏହାସହ ଆୟରଙ୍କ ଏହି କଠିନ ସମୟରେ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ନେଇ କୁହାଯାଇଛି।
ବାମକାନ୍ଧରେ ଆହତ ସମସ୍ୟାକୁ ନେଇ ଆୟରଙ୍କ ଆଉ ଥରେ ପରୀକ୍ଷା ହେବ। ଏହାପରେ ତାଙ୍କ କାନ୍ଧର ଅସ୍ତ୍ରପଚାର କରାଯିବ। ଦଳ ଆୟରଙ୍କ ସହ ରହିଥିବା ନେଇ ସୋସିଆଲ ମଡିଆରେ ଏକ ଭିଡିଓ ପୋଷ୍ଟ ସେୟାର କରିଛି ଦିଲ୍ଲୀ କ୍ୟାପିଟାଲ୍ସ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ଦିଲ୍ଲୀ କ୍ୟାପିଟାଲ୍ସକୁ ଶ୍ରେୟସ ଆୟର ଏକ ନୂଆ ସଫଳତାର ପାହାଚ ଦେଖାଇଛନ୍ତି। ତାଙ୍କରି ଅଧିନାୟିକତ୍ବରେ ଦଳ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ ଖେଳି ପାରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏହି ଚମ୍ପିୟାନ ସହ ସବୁବେଳେ ସବୁସ୍ଥିତିରେ ରହିବ। ଶ୍ରେୟସ ଆୟର ଏହି ଆଇପିଏଲର ଆମକୁ ମନେ ପଡ଼ିବେ। ଆମେ ତାଙ୍କ ଯଥାଶୀଘ୍ର ଆରୋଗ୍ୟ କାମନା କରୁଛୁ।
ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ସମ୍ଭାଳିବେ। ଏହାକୁ ନେଇ ଗତ ମଙ୍ଗଳବାର ଟ୍ବିଟ କରି ସୂଚନା ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଏହାପରେ ଋଷଭ ପନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରେୟସ ଆୟର। ଋଷଭ ପନ୍ତଙ୍କ ପାଖରେ ଅଧିନାୟକ କ୍ଷମତା ଅଛି ବୋଲି ସେ ଭରଷା କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ