ହାଇଦ୍ରାବାଦ: ଜୁଲାଇ ୧ରୁ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ମ୍ୟାଚ୍ । ଏଜବାଷ୍ଟନରେ ଖେଳାଯିବ ଏହି ମ୍ୟାଚ । ହେଲେ ମ୍ୟାଚ୍ରେ କିଏ ଅଧିନାୟକତ୍ବ ପଦ ତୁଲାଇବ ସେନେଇ ଦ୍ବନ୍ଦ୍ବରେ ପଡିଛି ଦଳ । କାରଣ ହିଟ ମ୍ୟାନ ରୋହିତ ଶର୍ମା ଏବେ କୋରୋନା ସଂକ୍ରମିତ ହୋଇ ରହିଛନ୍ତି । ଜୁଲାଇ ୧ ସୁଦ୍ଧା ରୋହିତ ଶର୍ମା ଫିଟ୍ ହେବା ନେଇ ପ୍ରଶ୍ନ ଉଠିଛି । ଯଦି ରୋହିତ ମ୍ୟାଚରୁ ବାଦ ପଡିଲେ ତାହେଲେ କିଏ ଅଧିନାୟକ ହେବ ତାହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି ।
ଅଧିନାୟକ ଦୌଡରେ ରହିଛନ୍ତି ଅନେକ ଖେଳାଳି । ଫାଷ୍ଟ ବୋଲର ଜଶପ୍ରୀତ ବୁମରା ହୋଇପାରନ୍ତି ଅଧିନାୟକ । କାରଣ ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିରୋଧ ଟି-୨୦ ମ୍ୟାଚରେ ଉପ ଅଧିନାୟକ କରିଥିଲା ବିସିସିଆଇ । ଏହା ସହିତ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ଏବଂ ଟି-2୦ ସିରିଜରେ ଉପ ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇ ଥିଲେ । ତଥାପି ଫାଷ୍ଟ ବୋଲର ବୁମରଙ୍କ ପାଇଁ ଟେଷ୍ଟ ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିବା ମୁସ୍କିଲ ହୋଇପାରେ । ସେ ୨୯ଟି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହା ସହିତ ତାଙ୍କ ପାଖରେ ଅଧିନାୟକ ପଦ ତୁଲାଇବାର କୌଣସି ଅଭିଜ୍ଞତା ନାହିଁ କି ସେ କେବେବି IPLରେ ଅଧିନାୟକ ପଦ ତୁଲାଇ ନାହାଁନ୍ତି । ଏହାପରେ ୱିକେଟ କିପର ଋଷଭ ପନ୍ତଙ୍କ ନାମ ଚର୍ଚ୍ଚାରେ ରହିଛି । କାରଣ ତାଙ୍କ ପାଖରେ ଅଧିନାୟକ ଦାୟିତ୍ବ ତୁଲାଇବାର ଅଭିଜ୍ଞତା ରହିଛି । ପନ୍ତ IPLରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଦାୟିତ୍ବରେ ଥିଲେ । ତା ସହିତ ନିକଟରେ ସମାପ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ଟି-2୦ ସିରିଜ୍ରେ ମଧ୍ୟ ସେ ଅଧିନାୟକ ପଦରେ ଥିଲେ ।