ହାଇଦ୍ରାବାଦ: ଆଇପିଏଲରେ ସର୍ବଦା ମ୍ୟାଚ୍ ଫିକ୍ସିଂ ଓ ବେଟିଂକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହୋଇଥାଏ । ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୨ ଫାଇନାଲ ମୁକାବିଲା ଫିକ୍ସିଂ ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଆଇପିଏଲ ୨୦୨୨ର ଫାଇନାଲ ମୁକାବିଲାରେ ନୂଆ ଆଇପିଏଲ ଟିମ ଗୁଜରାଟ ଟାଇଟନ୍ସ, ସବୁଠୁ ପୁରୁଣା ରାଜସ୍ଥାନ ରୟାଲ୍ସକୁ ହରାଇ ଟାଇଟେଲ ନିଜ ନାମରେ କରିଥିଲା । ଏବେ ଆଇପିଏଲ ଫାଇନାଲ ମ୍ୟାଚ୍କୁ ନେଇ BJP ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଫିକ୍ସିଂ ଅଭିଯୋଗ ଆଣିଛନ୍ତି ।
ସୁବ୍ରମଣ୍ୟମ ସ୍ବାମୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ(BCCI) ସିଧାସଳଖ ଟାର୍ଗେଟ କରିଛନ୍ତି । ସ୍ବାମୀ ଆଇପିଏଲ ୨୦୨୨ର ଫାଇନାଲ ମୁକାବିଲା ଫିକ୍ସିଂ ହୋଇଥିବା ଅଭିଯୋଗ କରିଛନ୍ତି । ନିଜ ଟ୍ବିଟ୍ର ଆକାଉଣ୍ଟରେ ସ୍ବାମୀ ସୁବ୍ରମଣ୍ୟମ ଏକ ଟ୍ବିଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ଯେ, ଇଣ୍ଟେଲିଜେନ୍ସ ଏଜେନ୍ସି ଅନୁଯାୟୀ IPLର ଫଳାଫଳରେ ଫିକ୍ସିଂ କରାଯାଇଛି । ଏଥିପାଇଁ ତଦନ୍ତର ଆବଶ୍ୟକତା ରହିଛି ଓ ଯାଞ୍ଚ ପାଇଁ ଜନହିତ ଯାଚିକା ଦାଏର କରିବା ଜରୁରୀ ।