ହାଇଦ୍ରାବାଦ: ରାତି ପାହିଲେ ଆଇପିଏଲ୍ ୨୦୨୪ ପାଇଁ ହେବ ମିନି ଅକ୍ସନ୍ । ବିଶ୍ବର ସବୁଠାରୁ ଦାମୀ କ୍ରିକେଟ୍ ଲିଗ୍ କୁହାଯାଉଥିବା ଆଇପିଏଲ୍ ଅକ୍ସନକୁ ନେଇ ବେଶ ଉତ୍ସାହିତ ପ୍ରଶଂସକ । ପ୍ରଥମ ଥର ପାଇଁ ବିଦେଶରେ ଅନୁଷ୍ଠିତ ହେଉଛି ଆଇପିଏଲ୍ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା । ଏଥର ଦୁବାଇର କୋକାକୋଲା ଏରିନାରେ ଖେଳାଳିଙ୍କୁ ନିଲାମ ଡାକିବେ ଆଇପିଏଲ୍ ଫ୍ରାଞ୍ଚାଇଜ୍ । ସମସ୍ତ ୧୦ ଦଳରେ ୭୭ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ଥିବାବେଳେ ଏଥିପାଇଁ ୩୩୩ କ୍ରିକେଟର ସେମାନଙ୍କ ନାମ ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଖେଳାଳିଙ୍କ ପାଇଁ ବଡ଼ ବିଡ୍ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିରେ କିଛି ଟପ୍ ଇଣ୍ଡିଆନ୍ କ୍ରିକେଟର୍ ମଧ୍ୟ ରହିଛନ୍ତି । ନଜର ପକାନ୍ତୁ ସମ୍ଭାବ୍ୟ ଦାମୀ ୫ ଭାରତୀୟ କ୍ରିକେଟରଙ୍କ ଉପରେ...
ଶାର୍ଦ୍ଦୁଲ ଠାକୁର (ବେସ୍ ପ୍ରାଇସ୍- ୨ କୋଟି): ବିଭିନ୍ନ ଦଳ ଖେଳାଳିଙ୍କ ସଂରକ୍ଷଣ ତାଲିକା ରିଲିଜ୍ କରିବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଶାର୍ଦ୍ଦୁଲ ଠାକୁରଙ୍କୁ ରିଲିଜ୍ କରିଥିଲା । ଏହି ଡାହାଣହାତୀ ପେସର୍ଙ୍କ ଉପରେ ଅନେକ ଫ୍ରାଞ୍ଚାଇଜ୍ ବଡ଼ ବିଡ୍ ଲଗାଇପାରନ୍ତି । କ୍ରିକେଟ୍ରେ 'ଲର୍ଡ' ଭାବରେ ପରିଚିତ ଶାର୍ଦ୍ଦୁଲ ଠାକୁର ଯେପରି ୱିକେଟ୍ ନେବାର କ୍ଷମତା ରଖିଛନ୍ତି, ନିମ୍ନକ୍ରମରେ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିବା ଅଭିଜ୍ଞତା ରଖିଛନ୍ତି । ୨୦୧୫ରେ ଆଇପିଏଲ୍ ଡେବ୍ୟୁ କରିବା ପରଠାରୁ ସେ ୮୬ଟି ଆଇପିଏଲ୍ ମ୍ୟାଚ୍ ଖେଳି ୯.୧୬ ଇକୋନୋମୀ ସହ ୮୯ ୱିକେଟ୍ ନେଇଛନ୍ତି । ସେ ମଧ୍ୟ ଗୋଟିଏ ଅର୍ଦ୍ଧଶତକ ସହ ୧୧.୯ ହାରରେ ୨୮୬ ରନ୍ ସଂଗ୍ରହ କରିଛନ୍ତି । ତେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭଳି ଦଳ ଶାର୍ଦ୍ଦୁଲଙ୍କ ଉପରେ ନଜର ପକାଇ ପାରନ୍ତି । କାରଣ ଏହି ଦଳ ଗୁଡ଼ିକ ନିମ୍ନ କ୍ରମ ପାଇଁ ଜଣେ ବୋଲିଂ ଅଲ୍ରାଉଣ୍ଡର ସନ୍ଧାନରେ ରହିଛନ୍ତି ।
ହର୍ଷଲ ପଟେଲ (ବେସ୍ ପ୍ରାଇସ୍- ୨ କୋଟି): ଏଥର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ଅଧିକାଂଶ ରିଲିଜ୍ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ କରିଛି । ମହମ୍ମଦ ସିରାଜଙ୍କ ବ୍ୟତୀତ ଦଳ ପ୍ରାୟ ସମସ୍ତ ଅଭିଜ୍ଞ ବୋଲରଙ୍କୁ ରିଲିଜ୍ କରିଦେଇଛି । ସେମାନଙ୍କ ଭିତରେ ହର୍ଷଲ ପଟେଲ୍ଙ୍କୁ ମଧ୍ୟ ରିଲିଜ୍ କରିଛି ଆର୍ସିବି । ଡେଥ୍ ଓଭରରେ ହର୍ଷଲଙ୍କ ଧିମା ଗତିରେ ବୋଲିଂ ମ୍ୟାଚ୍କୁ ଏକ ପ୍ରକାର ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇଥାଏ । ଏପରିକି ସେ ୮ମ କିମ୍ବା ୯ମ ସ୍ଥାନରେ ବ୍ୟାଟିଂ କରିବାର କ୍ଷମତା ମଧ୍ୟ ରଖିଛନ୍ତି । ଆଇପିଏଲ୍ ୨୦୨୧ରେ ୩୨ ୱିକେଟ୍ ସହ ଆର୍ସିବିକୁ ପ୍ଲେ ଅଫ୍ରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ହର୍ଷଲ । ଡ୍ବେନ୍ ବ୍ରାଭୋଙ୍କ ସମେତ ହର୍ଷଲ ଗୋଟିଏ ସଂସ୍କରଣରେ ସର୍ବାଧିକ (୩୨) ୱିକେଟ୍ ନେବାର ରେକର୍ଡ କରିଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ୍ ଭଳି ଦଳ ହର୍ଷଲଙ୍କ ଉପରେ ବଡ଼ ବିଡ୍ ଲଗାଇ ପାରନ୍ତି ବୋଲି ଆଶା କରାଯାଉଛି ।