ନୂଆଦିଲ୍ଲୀ:ଫଟାଫଟା କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସଂସ୍କରଣ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଡିସେମ୍ବରରେ ଆଇପିଏଲ ନିଲାମୀ ହେବ । ଇତିମଧ୍ୟରେ ନଭେମ୍ବର 15 ସୁଦ୍ଧା ସମସ୍ତ 10ଟି ଫ୍ରାଞ୍ଚାଇଜ ଦଳକୁ ଖେଳାଳିଙ୍କ ତାଲିକା ଦାଖଲ କରିବାକୁ କୁହାଯାଇଛି । ଏଯାଏଁ ଆଇପିଏଲ 2023 ନିଲାମୀ ପାଇଁ ତାରିଖ ଚୂଡାନ୍ତ ହୋଇନାହିଁ ।
ତେବେ ଡିସେମ୍ବର ମାସ ତୃତୀୟ ସପ୍ତାହରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଆଇପିଏଲ 2022ରେ ମେଗା (ବଡ) ନିଲାମୀ ହୋଇଥିଲା । ତେଣୁ ଏଥର ମିନି (ଛୋଟ) ନିଲାମୀ ହେବ । ଆଇପିଏଲ 2023 ପୁରୁଣା ଫର୍ମାଟରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଥିଲେ । ତେଣୁ ପ୍ରତ୍ୟେକ ଦଳ ଘରୋଇ ଏବଂ ବାହାର ଭେନ୍ୟୁରେ ମ୍ୟାଚ ଖେଳିବେ । ପୂର୍ବ ସଂସ୍କରଣରେ ଫ୍ରାଞ୍ଚାଇଜଙ୍କ ମୂଳ ଟଙ୍କା 90 କୋଟି ଟଙ୍କା ରହିଥିଲା । ଆସନ୍ତାବର୍ଷ ଏହା 95 କୋଟିକୁ ବୃ୍ଦ୍ଧି ପାଇବ।