ମୁମ୍ବାଇ:ମୁମ୍ବାଇକୁ ବିଜୟ ଦେଇପାରିଲାନି ବୁମରାଙ୍କ ଘାତକ ବୋଲିଂ । ବ୍ୟାଟିଂ ବିଫଳତା ଯୋଗୁଁ ସବୁ ଫସର ଫାଟିଲା । ଆଇପିଏଲ ଇତିହାସର ସଫଥଲମ ଟିମ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 166 ରନ୍ର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲା । ମାତ୍ର ଦମଦାର ରଣନୀତି ଓ ଶୃଙ୍ଖଳିତ ବୋଲିଂ ସହ କୋଲକାତା ନାଇଟ ରାଇଡର୍ସ ଚମତ୍କାର ବିଜୟ ହାସଲ କରିବା ସହ ମୁମ୍ବାଇକୁ ଆଉ ଏକ ପରାଜୟର ସ୍ବାଦ ଚଖାଇଛି । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) 56ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଓ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଖେଳାଯାଇଥିଲା । ଏହାକୁ 52 ରନର ବଡ ବ୍ୟବଧାନରେ ଜିତି ନେଇଛି କୋଲକାତା । ଫଳରେ ଏହି ବିଜୟ ସହ ଆଇପିଏଲ 2022 ପଏଣ୍ଟ ତାଲିକା ସପ୍ତମକୁ ଉଠିଛି KKR ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ନୀତିଶ ରାଣା ଓ ଭେଙ୍କଟେଶ ଆୟରଙ୍କ ସର୍ବାଧିକ ରନ୍ କରିଥିଲେ । ଭେଙ୍କଟେଶ ୨୪ ବଲରେ ୩ଟି ଚୌକା ଓ ୪ଟି ଛକା ମାରି ୪୩ ରନ କରିଥିବା ବେଳେ ନୀତିଶ ରାଣା ମଧ୍ୟ ସମାନ ରନ୍ କରିଥିଲେ । ରାଣା ୨୬ ବଲ୍ ଖେଳି ୩ଟି ଚୌକା ସହ ଓ ୪ଟି ଛକା ସହ ୪୩ ରନ ଯୋଡ଼ିଥିଲେ । ଅଜିଙ୍କ୍ୟ ରାହାଣେ ୨୪ ବଲ୍ ଖେଳି ୩ଟି ଚୌକା ସହ ୨୫ ରନ କରିଥିବାବେଳେ ଅଧିନାୟକ ଶ୍ରେୟସ ଆୟର ୮ଟି ବଲ୍ ଖେଳି ଗୋଟିଏ ଚୌକା ସହ ମାତ୍ର ୬ ରନ କରିଥିଲେ । ଅଶ୍ବିନଙ୍କ ବଲରେ କ୍ୟାଚ ଆଉଟ୍ ହୋଇଥିଲେ ଶ୍ରେୟାସ । ମୁମ୍ବାଇ ଆଗରେ 166 ରନ୍ର ଟାର୍ଗେଟ ଦେଇଥିଲା କୋଲକାତା ।