ମୁମ୍ବାଇ:ଶେଷ ପର୍ଯ୍ୟାୟରେ ବିଶ୍ବର ବିତ୍ତଶାଳୀ ଟି୨୦ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗର ୧୦ତମ ସଂସ୍କରଣ(IPL 2022) । ଲିଗ ପର୍ଯ୍ୟାୟ ମ୍ୟାଚ୍ ଶେଷ ହେବାକୁ ଯାଉଥିବାବେଳେ ପ୍ଲେ-ଅଫ୍ ଚିତ୍ର ଖୁବଶୀଘ୍ର ସ୍ପଷ୍ଟ ହେବ । ଆଇପିଏଲ ଟୁର୍ଣ୍ଣାମେଣ୍ଟର ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ପ୍ଲେ-ଅଫ୍ ରେସ୍ରୁ ବାଦ୍ ପଡିସାରିଛନ୍ତି । ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ପ୍ଲେ-ଅଫ୍ରୁ ବାହାର ହୋଇସାରିଛନ୍ତି । ୧୦ ଟିମ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା କୋଲକାତା ନାଇଟ ରାଇଡର୍ସର(KKR) ବିଦାୟୀ ମୁଖ୍ୟ କୋଚ୍ ବ୍ରେଣ୍ଡନ ମାକ୍ୟୁଲମ ଟିମର ସାଥୀ ଖେଳାଳି ଓ ଅବଶିଷ୍ଟ ସପୋର୍ଟ ଷ୍ଟାଫ ସଦସ୍ୟଙ୍କୁ ବିଦାୟକାଳୀନ ସମ୍ବୋଧନ କରିଛନ୍ତି ।
ମାକ୍ୟୁଲମଙ୍କର ୩ ବର୍ଷ ପାଇଁ KKR ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍ କାର୍ଯ୍ୟକାଳ ରହିଥିଲା । ଏବେ ସେ KKR କ୍ୟାମ୍ପ୍ ଛାଡିବା ସହ ଇଂଲଣ୍ଡ ଟେଷ୍ଟ ଟିମର ମୁଖ୍ୟ କୋଚ୍ ଭାବେ ଜୁନ୍ରୁ ଯୋଗଦେବାକୁ ଯାଉଛନ୍ତି । କୋଲକାତା ନାଇଟ ରାଇଡର୍ସର ଜଣେ ଷ୍ଟାର ଖେଳାଳି ଭାବେ ସ୍ମରଣୀୟ ସ୍ମୃତି ସାଉଁଟିଥିବା ବ୍ରେଣ୍ଡନ ମାକ୍ୟୁଲମ ବର୍ଷ ୨୦୧୯ରେ ମୁଖ୍ୟ କୋଚ୍ ଭାର ସମ୍ଭାଳିଥିଲେ । ନିଜର ପ୍ରଥମ କୋଚ୍ କାର୍ଯ୍ୟକାଳରେ ପୂର୍ବତନ ଚାମ୍ପିୟନ ଟିମ ପଞ୍ଚମ ସ୍ଥାନରେ ରହିଥିଲା । ମାତ୍ର KKR ମାକ୍ୟୁଲମଙ୍କ ଭୟମୁକ୍ତ ଶୈଳୀକୁ ଆପଣାଇଥିଲା । IPL 2021 ସଂସ୍କରଣର ପ୍ରଥମାର୍ଦ୍ଧରେ ନୈରାଶାଜନକ ପ୍ରଦର୍ଶନ ସତ୍ତ୍ବେ, KKR ଜବରଦସ୍ତ ଲଢୁଆ ପ୍ରଦର୍ଶନ କରିଥିଲା ଓ ଫାଇନାଲରେ ପହଞ୍ଚିଥିଲା ।
ମାକ୍ୟୁଲମଙ୍କୁ ନୂଆ ଅଧିନାୟକ ଭାବେ IPL 2022ରେ ଶ୍ରେୟସ ଆୟରଙ୍କ ସାଥ୍ ମିଳିଥିଲା । ଟୁର୍ଣ୍ଣାମେଣ୍ଟରେ ଟିମ କିଛି ଚମତ୍କାର ପ୍ରଦର୍ଶନ ସହ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରି ମିଶ୍ରିତ ପ୍ରଦର୍ଶନ କରିଥିଲା । ମାତ୍ର ପ୍ଲେ-ଅଫ୍ ଖେଳିବାକୁ ବାଦ୍ ପଡିବାପରେ ମାକ୍ୟୁଲମ ନିଜର କୋଚ୍ କାର୍ଯ୍ୟକାଳ ଶେଷ କରିଛନ୍ତି ।