ଅହମ୍ମଦାବାଦ: ଦୀର୍ଘ 66 ଦିନ ପରେ ଫଳାଫଳ । ଖୁସିରେ ଝୁମୁଛନ୍ତି ଫ୍ୟାନ୍ସ । ପଦାର୍ପଣ ଦଳ ଭାବେ ଦମ ଦେଖାଇଛି ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ । ନୂଆ ଦଳ ଭାବେ ଆଇପିଏଲ ଚମ୍ପିଆନ ହୋଇଛି ଗୁଜୁରାଟ ଟାଇଟନ୍ସ । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ପଞ୍ଚଦଶ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ପରସ୍ପରକୁ ଭେଟିଥିଲେ । ରୟାଲ୍ସକୁ 7 ୱିକେଟରେ ହରାଇ ଟାଇଟଲ କବଜା କରିଛି ଟାଇଟନ୍ସ । ନୂଆ ଦଳ ଭାବେ ବିଜୟ ମୁକୁଟ ପିନ୍ଧିଛି ଗୁଜୁରାଟ ।
130 ରନ କୌଣସି ଆଇପିଏଲର ଦ୍ବିତୀୟ ସର୍ବନିମ୍ନ ସ୍କୋର । 131 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ପଦାର୍ପଣ ଟିମ ଗୁଜୁରାଟ । ରାଜସ୍ଥାନ ବୋଲର 23 ରନରେ 2ଟି ୱିକେଟ ନେଇ ମ୍ୟାଚରେ କିଛି ସମୟ ପାଇଁ ରୋମାଞ୍ଚ ଭରିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ବେଶି ସମୟ ପାଇଁ ନଥିଲା । ଶୁବମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା 63 ରନ ଯୋଡି ଥିଲେ । ଅଧିନାୟକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପଦର୍ଶନ ଦଳର ବିଜୟକୁ ସହଜ କରିଥିଲା । ପାଣ୍ଡ୍ୟା 3 ୱିକେଟ ନେବା ସହ 34 ରନ କରିଥିଲେ । ଯୁବ ଖେଳାଳି ଶୁବମନ (45) ଶେଷ ଯାଏଁ ଅପରାଜିତ ରହି ଛକା ମାରି ଦଳକୁ ବିଜୟୀ କରାଇଥିଲେ । 11ଟି ବଲ ବାକି ଥାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା ଟାଇଟନ୍ସ । 3ଟି ୱିକେଟ ହରାଇ ଦଳ 133 ରନ କରିଥିଲା । ପ୍ରଭାବୀ, ପ୍ରଶଂସନୀୟ ପ୍ରର୍ଦଶନ କରି ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି ଗୁ଼ଜୁରାଟ ।