ମୁମ୍ବାଇ:ଧୋନି ପୁଣି ସେନାପତି ଭାର ସମ୍ଭାଳୁ ସମ୍ଭାଳୁ ସୁପରକିଙ୍ଗ୍ସକୁ ସଫଳତା । ଅଧନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବ ପାଇଁ ଦଳ ପୂର୍ବ ଚମକକୁ ଫେରିଛି । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର (IPL 2022) ୪୬ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦକୁ 13 ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ଦୁଇ ଓପନର ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେଙ୍କ ଜବରଦସ୍ତ ଇଂନିସ ଓ ବୋଲରଙ୍କ କମାଲ ପାଇଁ ଦଳ ତୃତୀୟ ବିଜୟ ହାସଲ କରିଛି । ଏହି ସଫଳତା ଦଳ ପାଇଁ ପ୍ଲେ ଅଫ ଆଶା ଉଜ୍ଜୀବିତ କରିଛି । ଋତୁରାଜ ଗାଏକ୍ବାଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ପ୍ରଥମେ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଏକ ବିଶାଳ ସ୍କୋର କରିଥିଲା । ଦୁଇ ଓପନର ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେଙ୍କ ଜବରଦସ୍ତ ଇଂନିସ ବଳରେ ଦଳ ପାଇଁ ଉପଯୋଗୀ ହୋଇଥିଲା । ଋତୁରାଜ ୫୭ ବଲ୍ରୁ ୬ଟି ଚୌକା ଓ ୬ଟି ଛକା ସହାୟତାରେ ୯୯ ରନ୍ର ମାରାଥନ ଇଂନିସ ଖେଳିଥିଲେ। ମାତ୍ର ଗୋଟିଏ ରନ୍ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଶତକରୁ ବଞ୍ଚିତ ହୋଇଥିଲେ । ସେହିପରି ଅନ୍ୟତମ ଓପନର କନୱେ ୫୫ ବଲ୍ରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୮୫ ରନ୍ର ଦମଦାର ଇଂନିସ ଖେଳିଥିଲେ ।
ଉଭୟଙ୍କ ମଧ୍ୟରେ ୧୮୨ ରନ୍ର ଭାଗିଦାରୀ ହୋଇଥିଲା । ମହେନ୍ଦ୍ର ସିଂହ ଧୋନି ବଡ୍ ସଟ୍ ଖେଳିବାକୁ ଆସିଥିଲେ ମଧ୍ୟ ବିଶେଷ ସଫଳ ହୋଇନଥିଲେ । 8ଟି ବଲରୁ 7 ରନ କରି ଉମ୍ରାନଙ୍କ ଶିକାର ହୋଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା CSK । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ ୨୦୩ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଅନ୍ୟପଟେ ଭୁବନେଶ୍ବର କୁମାରଙ୍କ ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦର ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଟି ନଟରାଜନ ଏକମାତ୍ର ବୋଲର ଭାବେ ଦୁଇଟି ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ଭୁବନେଶ୍ବର କୁମାର ୪ ଓଭରରେ ମାତ୍ର ୨୨ ରନ୍ ବ୍ୟୟ କରିଥିଲେ ।