ମୁମ୍ବାଇ: ଲଗାତାର 4ର୍ଥ ପରାଜୟ ପରେ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ । 22ତମ ଲିଗ ମ୍ୟାଚରେ 23 ରନରେ ରୟାଲ୍ସ ଚ୍ୟାଲେଞ୍ଜଜର୍ସ ବାଙ୍ଗାଲୋରକୁ ହରାଇ ବିଜୟ ଖାତା ଖୋଲିବା ସହ ଦମଦାର କମବ୍ୟାକ କରିଛି ଚେନ୍ନାଇ । ଶିବମ ଦୁବେ ଓ ରବିନ ଉଥପ୍ପାଙ୍କ ଧୂଆଁଧାର ବ୍ୟାଟିଂ ଦଳକୁ ବିଜୟୀ କରିବାରେ ସହାୟକ ହୋଇଥିଲା । 46 ବଲରେ 95 ରନ କରି ଶିବମ ଦୁବେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ବାଙ୍ଗାଲୋର ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ଆଣନ୍ତ୍ରଣ କରିଥିଲା । ସୁପରକିଙ୍ଗ୍ସ ପକ୍ଷରୁ ଅଲରାଉଣ୍ଡର ଶିବମ ଦୁବେ ସର୍ବାଧିକ ୯୫ ରନ୍ର ବିସ୍ଫୋରକ ଇଂନିସ ଖେଳିଥିଲେ । ୪୬ ବଲ୍ରୁ ୫ଟି ଚୌକା ଓ ୮ଟି ଛକା ବଳରେ ୯୫ ରନ୍ର ଇଂନିସ ଖେଳି ମାତ୍ର ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ସେହିପରି ରବିନ ଉଥାପ୍ପା ୫୦ ବଲ୍ରୁ ୪ଟି ଚୌକା ଓ ୯ଟି ଛକା ସହାୟତାରେ ୮୮ ରନ୍ର ଧୂଆଁଧାର ଇଂନିସ ଖେଳିଥିଲେ । ଋତୁରାଜ ଗାଏକ୍ବାଡ ୧୭ ଓ ମୋଇନ ଅଲି ୩ ରନ୍ କରି ଆଉଟ୍ ହୋଇଥିଲେ । କ୍ୟାପଟେନ ରବିନ୍ଦ୍ର ଜାଡେଜା ପ୍ରଥମ ବଲ୍ରେ ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୨ଟି ଓ ଜସ ହେଜେଲଉଡ ଗୋଟିଏ ୱିକେଟ ହାତେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା CSK ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ବିଶାଳ ୨୧୬ ରନ ସଂଗ୍ରହ କରିଥିଲା । ଫଳରେ RCB ସାମ୍ନାରେ ୨୧୭ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା ।