ଦୁବାଇ: ଅଧୁରା ରହିଗଲା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଆଇପିଏଲ ଟାଇଟଲ ବିଜୟ ଆଶା । ପ୍ରଥମ ଥର ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ମୁ୍ମ୍ବାଇ ଇଣ୍ଡିଆନ୍ସ ଠାରୁ ପରାସ୍ତ ହୋଇଛି । ଫଳରେ 5ମ ଥର ପାଇଁ ଚମ୍ପିଆନ ହେବା ସହ ଟ୍ରଫି ହାତେଇଛି ରୋହତି ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦିଲ୍ଲୀ ତା’ର କ୍ୟାପଟେନ୍ ଶ୍ରେୟସ ଆୟର୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଏହାର ଜବାବରେ ମୁମ୍ବାଇ ୧୮.୪ ଓଭରରେ ୫ ୱିକେଟ୍ ହରାଇ ୧୫୭ ରନ୍ କରି ଏକତରଫା ବିଜୟ ହାସଲ କରିଛି । ମୁମ୍ବାଇ ପକ୍ଷରୁ କ୍ୟାପଟେନ୍ ରୋହିତ୍ ସର୍ବାଧିକ ୬୮ ( ୫ ଚୌକା, ୪ ଛକା) ରନ୍ କରିଛନ୍ତି। ୧୫୭ ରନର ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ଇନଫର୍ମ କ୍ୱିଣ୍ଟନ୍ ଡି’କକ୍ ଓ ରୋହିତ୍ ଶର୍ମା । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ିଥିଲେ। ଡି’କକ୍ ୧୨ ବଲରେ ୩ ଚୌକା ଓ ୧ ଛକା ସହ ୨୦ ରନ୍ କରି ଆଉଟ୍ ହୋଇଥିଲେ । ପୂରା ଟୁର୍ଣ୍ଣାମେଣ୍ଟରେ ନିରାଶ କରିଥିବା ରୋହିତ୍ ଠିକଣା ସମୟରେ ଫର୍ମକୁ ଫେରିଥିଲେ ଏବଂ ଟିମ୍ ପାଇଁ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ । ସେ ସୂର୍ଯ୍ୟକୁମାର ଯାଦବ (୧୯)ଙ୍କ ସହ ୨ୟ ୱିକେଟ୍ ପାଇଁ ୪୫ ଓ ଇଶାନ୍ କିଷନଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୪୭ ରନର ଭାଗିଦାରୀ କରି ଟିମର ବିଜୟକୁ ସହଜ କରିଦେଇଥିଲେ ।