ଓଡିଶା

odisha

ETV Bharat / sports

ସ୍ଲୋ ପିଚ୍‌ରେ ଦିଲ୍ଲୀ ପାଇଁ ଚ୍ୟାଲେଞ୍ଜ, ସାମନାରେ ଇନଫର୍ମ ହାଇଦ୍ରାବାଦ - ଦିଲ୍ଲୀ କ୍ୟାପିଟାଲ୍ସ

ଗତ 4ଟି ମ୍ୟାଚରେ ରିଷଭଙ୍କ ବ୍ୟାଟିଂ ପୋଜିସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କୁ ଉଭୟ 3 ଓ 4 ନମ୍ବରରେ ଦଳ ଖେଳାଇଛି । ଉଭୟ ଜାଗାରେ ସେ ମିଶ୍ରିତ ସଫଳତା ପାଇଛନ୍ତି । ତାଙ୍କୁ ଶ୍ରେୟସଙ୍କୁ ଆଗରୁ 3 ନମ୍ବରରେ ଆଉଥରେ ପରୀକ୍ଷା କରିବା ପାଇଁ ଦଳ ଚିନ୍ତା କରୁଛି ।

ଫାଇଲ ଫଟୋ

By

Published : Apr 4, 2019, 11:59 PM IST

ନୂଆଦିଲ୍ଲୀ: ଘରୋଇ ପଡିଆରେ ଘରୋଇ ଟିମ ପାଇଁ ଚ୍ୟାଲେଞ୍ଜ । ବୋଧହୁଏ ଆଇପିଏଲ ଇତିହାସରେ ଏପରି ପ୍ରଥମ ଥର ହେବ । ଆଜି ଆଇପିଏଲର 16ତମ ମ୍ୟାଚରେ ସାମନା ସାମନି ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବାବେଳେ ସ୍ଲୋ ପିଚ୍‌ରେ ଘରୋଇ ଦଳ ପାଇଁ ଏହା ପରୀକ୍ଷା ହେବ । ଶେଷ ଖବର ଅନୁସାରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ଫାଇଲ ଫଟୋ

ଚଳିତ ସିଜିନରେ ଏପର୍ଯ୍ୟନ୍ତ ଦିଲ୍ଲୀ 4ଟି ମ୍ୟାଚରୁ 2ଟି ଜିତିଥିବାବେଳେ 2ଟି ମ୍ୟାଚ ହାରିଛି । ସେପଟେ ହାଇଦ୍ରାବାଦ ଚତ୍ମକାର ପ୍ରଦର୍ଶନ ଜାରି ରଖି 3ଟି ମ୍ୟାଚରୁ 2ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ହାଇଦ୍ରାବାଦ ପାଇଁ ଏଥର ଚମକିଛନ୍ତି ବ୍ୟାଟ୍ସମ୍ୟାନ । ବିଶେଷ କରି 2 ଓପନର ଧୂଆଁଧାର ଇଂନିସ ଖେଳି ଦଳକୁ ଚତ୍ମକାର ଆରମ୍ଭ ଦେଇଛନ୍ତି । ଇଂଲଣ୍ଡର ଜନି ବେୟାରଷ୍ଟୋ ଏବଂ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଅନ୍ୟ ଦଳର ବୋଲରଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛନ୍ତି ।

ଫାଇଲ ଫଟୋ

ଦଳ ବ୍ୟାଟିଂର ପ୍ରଭାବ ଏପରି ଜାରି ରହିଛି ଯେ ଏଥର ସିଜିନରେ ଏକମାତ୍ର ଦଳ ଭାବେ ଏହା 2 ଥର 200 ପ୍ଲସ ସ୍କୋର କରିଛି । ଏପରିକି ଶେଷ ମ୍ୟାଚରେ ମଧ୍ୟଭାଗରେ ଅଧିନାୟକ କେନ ୱିଲିୟମସନଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇନଥିଲା । ଓପନରଙ୍କ ଛଡା ସେମିତି ବଡ ନାମ ଏହି ଦଳରେ ନଥିଲେ ମଧ୍ୟ ଦଳଗତ ଭାବେ ଏହା ସଫଳ ହୋଇଛି । ମନୀଷ ପାଣ୍ଡେ, ୟୁସୁଫ ପଠାନ, ବିଜୟ ଶଙ୍କର, ଦୀପକ ହୁଦାଙ୍କ ଭଳି ବ୍ୟାଟ୍ସମ୍ୟାନ ତଳ ଅର୍ଡର ସମ୍ଭାଳିଛନ୍ତି । ବୋଲରଙ୍କ ଭିତରେ ଭୁବନେଶ୍ବର କୁମାର, ରସିଦ ଖାନ, ସନ୍ଦୀପ ଶର୍ମା, ମହମ୍ମଦ ନବି ଉତ୍ତମ ବୋଲିଂ କରିଛନ୍ତି ।

ଅନ୍ୟପଟେ ଦିଲ୍ଲୀ ପାଇଁ ପ୍ରମୁଖ ସମସ୍ୟା ହୋଇଛି ପ୍ରଦର୍ଶନରେ ଅନିୟମିତତା । ଲଗାତାର 4ଟି ମ୍ୟାଚରେ ଭଲ ପ୍ରଦର୍ଶନ ଦେବାରେ ଏହା ଅକ୍ଷମ ହୋଇଛି । ବିଶେଷ କରି ଏହାର ବ୍ୟାଟ୍ସମ୍ୟାନଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଅଧିନାୟକ ଶ୍ରେୟସ ଆୟାର ଏପର୍ଯ୍ୟନ୍ତ ବଡ ପାଳି ଖେଳିବାରେ ସକ୍ଷମ ହୋଇନାହାନ୍ତି । ଓପନର ଭାବେ ଶିଖର ଧୱନ ଭଲ ଆରମ୍ଭ କରୁଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିବର୍ତ୍ତନ କରିବାରେ ବିଫଳ ହୋଇଛନ୍ତି । ସେହିପରି ଅନ୍ୟତମ ଓପନର ପୃଥୀ ଶ ଏବଂ ୱିକେଟ୍‌କିପର ରିଷଭ ପନ୍ତ ବିସ୍ଫୋରକ ପାଳି ଖେଳୁଥିଲେ ମଧ୍ୟ ପ୍ରଦର୍ଶନରେ ନିୟମିତତା ବଜାୟ ରଖିବାରେ ବିଫଳ ହୋଇଛନ୍ତି ।

ଗତ 4ଟି ମ୍ୟାଚରେ ରିଷଭଙ୍କ ବ୍ୟାଟିଂ ପୋଜିସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କୁ ଉଭୟ 3 ଓ 4 ନମ୍ବରରେ ଦଳ ଖେଳାଇଛି । ହେଲେ ଉଭୟ ଜାଗାରେ ସେ ମିଶ୍ରିତ ସଫଳତା ପାଇଛନ୍ତି । ତେବେ ତାଙ୍କୁ ଶ୍ରେୟସଙ୍କୁ ଆଗରୁ 3 ନମ୍ବରରେ ଆଉଥରେ ପରୀକ୍ଷା କରିବା ପାଇଁ ଦଳ ଚିନ୍ତା କରୁଛି । କାରଣ 3 ନମ୍ବରରେ ଆୟାର ବାରମ୍ବାର ବିଫଳ ହୋଇଛନ୍ତି । ସେହିପରି ଦଳ ପାଇଁ ଏପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି ସଫଳ ହୋଇନାହାନ୍ତି । ବୋଲରଙ୍କ ପ୍ରଦର୍ଶନ ମଧ୍ୟ ଚିନ୍ତାର ବିଷୟ ହୋଇଛି । ସ୍ପିନର ଭାବେ ଆଜିର ମ୍ୟାଚରେ ଅମିତ ମିଶ୍ର ଏବଂ ପେସର ଭାବେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟଙ୍କୁ ସୁଯୋଗ ମିଳିପାରେ ।

କୋଟଲା ପିଚ ସାଧାରଣତଃ ଧୀମା ରହୁଥିବାବେଳେ ବଲ ତଳୁଆ ରହିଥାଏ । ଏପରି ପିଚ୍‌ରେ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ସନରାଇଜର୍ସ ବୋଲରଙ୍କୁ ଖେଳିବା ପରୀକ୍ଷା ହେବ । ମ୍ୟାଚରେ ସ୍ପିନର ମୁଖ୍ୟ ଭୂମିକା ଗ୍ରହଣ କରିବେ । କାକର ପଡୁଥିବାରୁ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାକୁ ଉଭୟ ଦଳ ଚାହିଁବେ । ତେବେ ଦିଲ୍ଲୀ ଅପେକ୍ଷା କୋଟଲାରେ ହାଇଦ୍ରାବାଦର ରେକର୍ଡ ଭଲ ରହିଛି । ଏଠାରେ ଦଳ ଦିଲ୍ଲୀ ବିପକ୍ଷରେ 3ଟି ମ୍ୟାଚ ଜିତି ମାତ୍ର 1ଟି ହାରିଛି । ହାଇଦ୍ରାବାଦ ଚଳିତ ସିଜିନରେ ଏପର୍ଯ୍ୟନ୍ତ ପ୍ରଥମ 6 ଓଭରରେ ଗୋଟିଏ ବି ୱିକେଟ୍‌ ହରାଇନାହିଁ । ଏହି ରେକର୍ଡ ବଜାୟ ରଖିବାକୁ ଦଳ ଚାହିଁବ ।

ABOUT THE AUTHOR

...view details