ଓଡିଶା

odisha

By

Published : Apr 10, 2019, 3:45 PM IST

ETV Bharat / sports

ଟିମ ଇଣ୍ଡିଆକୁ ଝଟକା: ହିଟମ୍ୟାନ ଆହତ

ରୋହିତଙ୍କ ଆହତ ଉପରେ ଏପର୍ଯ୍ୟନ୍ତ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ପ୍ରତିକ୍ରିୟା ଦେଇନାହିଁ । ପ୍ରକୃତରେ ରୋହିତଙ୍କ କାନ୍ଧରେ ଆଘାତ ଲାଗିଛି ନା ଆଉ କିଛି ତାହା ଜଣାପଡିନାହିଁ ।

ଫାଇଲ ଫଟୋ

ମୁମ୍ବାଇ: ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଟିମ୍‌ର ସିଲେକ୍ସନକୁ ଆଉ ମାତ୍ର ଏକ ସପ୍ତାହରୁ କମ ସମୟ ଥିବାବେଳେ ଦଳକୁ ଲାଗିଛି ବିରାଟ ଝଟକା । ଅଭ୍ୟାସ ସମୟରେ ଓପନର ରୋହିତ ଶର୍ମା ଆହତ ହୋଇଛନ୍ତି । ଆଇପିଏଲ ମ୍ୟାଚ ପାଇଁ ପ୍ରାକ୍ଟିସ କରୁଥିବାବେଳେ ରୋହିତଙ୍କ କାନ୍ଧରେ ଆଘାତ ଲାଗିଥିବା ଜଣାପଡିଛି ।

ଆଜି ଆଇପିଏଲରେ ମୁମ୍ବାଇ-ପଞ୍ଜାବ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଏଥିପାଇଁ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଦଳ ସହ ଅଭ୍ୟାସ କରୁଥିଲେ ରୋହିତ । ତେବେ ରନିଂ ସମୟରେ ହଠାତ୍‌ ନିଜ କାନ୍ଧକୁ ଧରି ସେ ତଳେ ପଡିଯାଇଥିଲେ । ତାଙ୍କ ମୁହଁରେ ପ୍ରବଳ ଯନ୍ତ୍ରଣାର ଚିହ୍ନ ସ୍ପଷ୍ଟ ବାରି ହେଉଥିଲା । ଟିମ୍‌ ଫିଜିଓ ନୀତିନ ପଟେଲ ତାଙ୍କ ନିକଟକୁ ଦୌଡି ଯାଇ ପ୍ରାଥମିକ ଚିକିତ୍ସା କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ମୁମ୍ବାଇ ଇଣ୍ଡିଆନ୍ସ

ଏହାପରେ ରୋହିତ ଡ୍ରେସିଂ ରୁମ ଚାଲିଯାଇଥିଲେ । ପରବର୍ତ୍ତୀ ଅଭ୍ୟାସ ସେସନ୍‌ରେ ସେ ଆଉ ପଡିଆକୁ ଓହ୍ଲାଇନଥିଲେ । ତେବେ ଏପର୍ଯ୍ୟନ୍ତ ଟିମ୍‌ ମ୍ୟାନେଜମେଣ୍ଟ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ପ୍ରକୃତରେ ରୋହିତଙ୍କ କାନ୍ଧରେ ଆଘାତ ଲାଗିଛି ନା ଆଉ କିଛି ତାହା ଜଣାପଡିନାହିଁ । ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଆଶା କରାଯାଉଛି ଏହି ଆଘାତ ସେତେ ଗୁରୁତର ହୋଇନଥିବ ।

ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପେସର ଯଶପ୍ରୀତ ବୁମରା ମଧ୍ୟ କାନ୍ଧ ଆଘାତରୁ ସୁସ୍ଥ ହୋଇଫେରିଥିଲେ । ପୁଣିଥରେ ଚେନ୍ନାଇ ବିପକ୍ଷ ମ୍ୟାଚରେ ଏକ କ୍ୟାଚ ଧରିବା ସମୟରେ ସେ ନିଜ ଆଖିରେ ଆଘାତ ପାଇଥିଲେ । ତେବେ ଆଗକୁ ବିଶ୍ବକପ୍‌ ଥିବାବେଳେ ପ୍ରମୁଖ ଭାରତୀୟ ଖେଳାଳିଙ୍କ ଆହତ ଚୟନକର୍ତ୍ତାଙ୍କୁ ଚିନ୍ତାରେ ପକାଇଛି ।

ABOUT THE AUTHOR

...view details