କୋଲକାତା: ଦମ୍ଦାର ବିଜୟ ସହ ଆଇପିଏଲ ଯାତ୍ରା ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ । ଆଇପିଏଲ 2019ର ଦ୍ବିତୀୟ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ 6 ଟି ୱିକେଟର ନାଟକୀୟ ବିଜୟ ହାସଲ କରିଛି କୋଲକତା । ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ 2ଟି ବଲ ବାକି ଥାଇ ବିଜୟ ହାସଲ କଲା କୋଲକାତା । ଏହି ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦଠାରୁ ଏକ ପ୍ରକାର ମ୍ୟାଚ ଛଡାଇ ଆଣିଲେ ରସେଲ୍ ଏବଂ ଗିଲଙ୍କ ଯୋଡି ।
କେକେଆର ଟସ୍ ଜିତିବା ପରେ କ୍ୟାପଟେନ୍ ଦିନେଶ କାର୍ତ୍ତିକ ପ୍ରଥମେ କ୍ଷେତ୍ର ରକ୍ଷଣ ନିଷ୍ପତ୍ତି ନେଇଥିଲେ । ହାଇଦ୍ରାବାଦ ପକ୍ଷରୁ ଡେଭିଡ ଓ୍ଵାର୍ଣ୍ଣର ଏବଂ ବେୟାରଷ୍ଟୋ ଭଲ ଆରମ୍ଭ କରିଥିଲେ ଏବଂ ପରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ ଓ୍ବାର୍ଣ୍ଣର । ଏହା ପରେ ମଧ୍ୟଭାଗରେ ବିଜୟ ଶଙ୍କରଙ୍କ ଉପଯୋଗୀ ପାଳି ବଳରେ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 3 ଟି ୱିକେଟ ହରାଇ 181 ରନ୍ ସ୍କୋର କରିଥିଲା । ତେବେ ଏହାର ଜବାବରେ କୋଲକାତା ୧୯.୪ ଓଭରରେ ୪ ଓ୍ଵିକେଟ ହରାଇ ୧୮୩ ରନ୍ ସ୍କୋର କରି ମ୍ୟାଚ୍ ଜିତି ନେଇଛି ।