ଓଡିଶା

odisha

By

Published : Apr 8, 2019, 6:23 PM IST

Updated : Apr 8, 2019, 7:41 PM IST

ETV Bharat / sports

ଆଇପିଏଲ ଫାଇନାଲ ଭେନ୍ୟୁ ଟେନସନ୍: ହାଇଦ୍ରାବାଦ ନା ଚେନ୍ନାଇ ?

ଆଇପିଏଲ ନିୟମ ଅନୁସାରେ ଶେଷ ସିଜିନର ଚାମ୍ପିଅନ୍‌ ଦଳ ପରବର୍ତ୍ତୀ ସିଜିନର ଓପନିଂ ଓ ଫାଇନାଲ ମ୍ୟାଚ ଆୟୋଜନ କରିବାର ସୁଯୋଗ ପାଇବ। ଏହି କ୍ରମରେ ଗତଥର ଚାମ୍ପିଅନ୍‌ ଚେନ୍ନାଇ ଏଥର ଫାଇନାଲ ମ୍ୟାଚ ଆୟୋଜନ କରିବା କଥା । କିନ୍ତୁ ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ଏଥର 3ଟି ଷ୍ଟାଣ୍ଡ ବନ୍ଦ ରହିବା ଫଳରେ ଫାଇନାଲ ମ୍ୟାଚ ଆୟୋଜନ ନେଇ ମୁଣ୍ଡବିନ୍ଧା ଲାଗି ରହିଛି।

ଫାଇଲ ଫଟୋ

ମୁମ୍ବାଇ: ଆଇପିଏଲ 12ର ଫାଇନାଲ ଭେନ୍ୟୁ ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ । ଏଥର ସିଜିନର ଫାଇନାଲ ମ୍ୟାଚ କେଉଁଠାରେ ଖେଳାଯିବ ? ସେ ନେଇ ଏବେ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଡିଫେଣ୍ଡିଂ ଚମ୍ପିଆନ୍‌ ଚେନ୍ନାଇ ନିକଟରେ ଫାଇନାଲ ମ୍ୟାଚ ଆୟୋଜନ ଅଧିକାର ଥିବା ବେଳେ ହାଇଦ୍ରାବାଦକୁ ଏହି ସୁଯୋଗ ମିଳିବାର ସମ୍ଭାବନା ଯଥେଷ୍ଟ ସୃଷ୍ଟି ହୋଇଛି ।

ଆଇପିଏଲ ନିୟମ ଅନୁସାରେ ଶେଷ ସିଜିନର ଚାମ୍ପିଅନ୍‌ ଦଳ ପରବର୍ତ୍ତୀ ସିଜିନର ଓପନିଂ ଓ ଫାଇନାଲ ମ୍ୟାଚ ଆୟୋଜନ କରିବାର ସୁଯୋଗ ପାଇବ। ଏହିକ୍ରମରେ ଗତଥର ଚାମ୍ପିଅନ୍‌ ଚେନ୍ନାଇ ଏଥର ଫାଇନାଲ ମ୍ୟାଚ ଆୟୋଜନ କରିବା କଥା । କିନ୍ତୁ ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ରେ ଏଥର 3ଟି ଷ୍ଟାଣ୍ଡ ବନ୍ଦ ରହିବା ଫଳରେ ଫାଇନାଲ ମ୍ୟାଚ ଆୟୋଜନକୁ ନେଇ ଦ୍ବିଧା ଲାଗି ରହିଛି । ଏହି ଷ୍ଟାଡିୟମ୍‌ରେ କିଛି ମରାମତି କାମ ଚାଲିଥିବାରୁ ଏହି ଅସୁବିଧା ଉପୁଜିଛି।

ଯଦି ଚେନ୍ନାଇ ଫାଇନାଲ ମ୍ୟାଚ ଆୟୋଜନ ନକରେ, ତେବେ ଗତଥର ରନର୍ସ ଅପ୍‌ ହୋଇଥିବା ହାଇଦ୍ରାବାଦକୁ ଏହି ସୁଯୋଗ ମିଳିବ। କିନ୍ତୁ ଏହି ନିଷ୍ପତ୍ତି ନେବା ଆଗରୁ ତାମିଲନାଡୁ କ୍ରିକେଟ୍‌ ଆସୋସିଏସନ ସହ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଥରେ ଆଲୋଚନା କରିବ ବୋଲି ଜଣାପଡିଛି । ସୋମବାର ଏହି ପ୍ରସଙ୍ଗ ଉପରେ କ୍ରିକେଟ୍‌ ପ୍ରଶାସକ କମିଟି ନୂଆଦିଲ୍ଲୀରେ ଆଲୋଚନା କରିଥିଲେ କିନ୍ତୁ କୌଣସି ଫଳାଫଳ ବାହାରିନଥିଲା ।

ଚୂଡାନ୍ତ ନିଷ୍ପତ୍ତି ନେବା ଆଗରୁ ବିସିସିଆଇ ଅଧିକାରୀ ତାମିଲନାଡୁ କ୍ରିକେଟ୍‌ ଆସୋସିଏସନ ସହ ଆଉଥରେ କଥା ହେବେ । ଚେନ୍ନାଇରେ ଅଧିକ କ୍ରିକେଟ୍‌ପ୍ରେମୀ ଥିବାବେଳେ ଏମାନଙ୍କୁ ନିରାଶ କରିବାକୁ ଆଇପିଏଲ ମ୍ୟାନେଜମେଣ୍ଟ ତଥା ବିସିସିଆଇ ଚାହୁଁନାହିଁ । କିନ୍ତୁ ଯଦି 3ଟି ଷ୍ଟାଣ୍ଡରେ ଖେଳ ଦେଖିବାର ବ୍ୟବସ୍ଥା ନ ହୋଇପାରିବ, ତେବେ ଫାଇନାଲ ମ୍ୟାଚରେ ଅନେକ ଖେଳପ୍ରେମୀ କମି ଯିବେ। ଫଳରେ ସାଧାରଣ ନିର୍ବାଚନ ମାହୋଲରେ ଆଇପିଏଲ ଫାଇନାଲ ମ୍ୟାଚ ଗୁରୁତ୍ବ ହରାଇପାରେ ବୋଲି ବିସିସିଆଇ ଆଶଙ୍କା କରୁଛି।

ଆଗାମୀ କିଛିଦିନ ଭିତରେ ଏହି ପ୍ରସଙ୍ଗ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସୂଚନା ଦେଇଛି। ଗତବର୍ଷ ମଧ୍ୟ କାବେରୀ ଜଳ ବିବାଦ ଯୋଗୁଁ ଚେନ୍ନାଇର ସମସ୍ତ ଘରୋଇ ମ୍ୟାଚ ପୁନେକୁ ସ୍ଥାନାନ୍ତର ହୋଇଥିଲା।

Last Updated : Apr 8, 2019, 7:41 PM IST

ABOUT THE AUTHOR

...view details