ଚେନ୍ନାଇ: ଆଇପିଏଲ 12ରେ ନିଜ ଦମଦାର ଫର୍ମ ବଜାୟ ରଖିଛି ଚେନ୍ନାଇ ସୁପର କିଙ୍ଗସ(ସିଏସକେ) । ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଚେନ୍ନାଇ । 12 ତମ ମ୍ୟାଚରେ ସିଏସକେ ୮ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏହାସହ ରାଜସ୍ଥାନ ହ୍ୟାଟ୍ରିକ ପରାଜୟ ଲାଭ କରିବା ସହ ସିଜିନରେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ ।
ଏହି ବିଜୟ ଫଳରେ ଚେନ୍ନାଇ ଗତବର୍ଷ ଆଇପିଏଲରୁ ଏପର୍ଯ୍ୟନ୍ତ ଲଗାତାର 6ଟି ମ୍ୟାଚରେ ଅପରାଜେୟ ରହିଛି । 20 ମେ 2018ରୁ 31 ମାର୍ଚ୍ଚ 2019 ପର୍ଯ୍ୟନ୍ତ ଏହି ଧାରା ଜାରି ରହିଛି । ପୂର୍ବରୁ 21 ଏପ୍ରିଲ 2014ରୁ 5 ମେ 2014 ପର୍ଯ୍ୟନ୍ତ ଚେନ୍ନାଇ 6ଟି ମ୍ୟାଚରେ ଅପରାଜେୟ ଥିଲା । ତେବେ 18 ଏପ୍ରିଲ 2013ରୁ 2 ମେ 2013 ଯାଏଁ ଚେନ୍ନାଇ ସର୍ବାଧିକ 7ଟି ମ୍ୟାଚରେ ଲଗାତାର ବିଜୟୀ ହୋଇଥିଲା ।
ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପୁଣିଥରେ ଦଳର ଓପନର ବିଫଳ ହେବା ସହିତ ମାତ୍ର 14 ରନରେ ପାଭେଲିୟନ ଫେରିଥିଲେ । ସେନ୍ ୱାଟସନ୍ 13 ଏବଂ ଅମ୍ବାତି ରାୟୁଡୁ 1 ରନ କରି ଆଉଟ ହୋଇଥିଲେ । ରୈନା 32 ବଲରୁ 4 ଚୌକା ଓ 1 ଛକା ସହ 36 ରନ କରିଥିଲେ । ବ୍ରାଭୋ 16 ବଲରୁ 3 ଚୌକା ଓ 1 ଛକା ସହ 27 ରନର ବିସ୍ଫୋରକ ଇଂନିସ ଖେଳିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL
ମହେନ୍ଦ୍ର ସିଂହ ଧୋନି(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL)
ତେବେ ଘରୋଇ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ କ୍ୟାପ୍ଟେନ କୁଲ । ଧମାକାଦାର ଇଂନିସ ଖେଳି 46 ବଲରୁ 4 ଚୌକା ଏବଂ 4 ଛକା ସହ 75 ରନରେ ସେ ନଟଆଉଟ୍ ଥିଲେ । ତାଙ୍କ ଇଂନିସ ଯୋଗୁଁ ଶେଷ ୩ ଓଭରରୁ ଚେନ୍ନାଇ ୬୦ ରନ ଆଦାୟ କରିଥିଲା । ଏହାସହ ନିର୍ଦ୍ଧାରିତ ଓଭରରେ ଚେନ୍ନାଇ 5 ୱିକେଟ୍ ହରାଇ 175 ରନ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ୱେଷ୍ଟଇଣ୍ଡିଜ ବୋଲର ଜୋଫ୍ରା ଆର୍ଚର ମିତବ୍ୟୟୀ ବୋଲିଂ କରି 2ଟି ୱିକେଟ୍ ପାଇଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL
୧୭୫ ରନ ଜବାବରେ ରାଜସ୍ଥାନ ୮ ୱିକେଟ୍ରେ 167 ରନ କରିପାରିଥିଲା । ଦୃଢ ଜବାବ ଦେଇଥିଲେ ମଧ୍ୟ ଶେଷ ଓଭରରେ 2ଟି ୱିକେଟ୍ ହରାଇ 8 ରନ ପଛରେ ପଡିଯାଇଥିଲା ଟିମ୍ । ଦଳ ପକ୍ଷରୁ ରାହୁଲ ତ୍ରିପାଠୀ(39 ରନ, 24 ବଲ, 5 ଚୌକା, 1 ଛକା), ଷ୍ଟିଭେନ ସ୍ମିଥ୍(28 ରନ, 30 ବଲ, 2 ଚୌକା) ଏବଂ ବେନ୍ ଷ୍ଟୋକ୍ସ(୪୬ ରନ, ୨୬ ବଲ, ୧ ଚୌକା, ୩ ଛକା) ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ ।
ଇମ୍ରାନ ତାହିର(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL)
ଷ୍ଟୋକ୍ସ ଶେଷ ଓଭର ପ୍ରଥମ ବଲରେ ଆଉଟ୍ ହୋଇଯିବାରୁ ରାଜସ୍ଥାନ ଆବଶ୍ୟକ ୧୨ ରନ ଆଦାୟ କରିପାରିନଥିଲା । ଶେଷ ଆଡକୁ ଜୋଫ୍ରା 11 ବଲରୁ 2 ଛକା ଓ 1 ଚୌକା ସହ 24 ରନର ଛୋଟିଆ ବିସ୍ଫୋରକ ପାଳି ଖେଳିଥିଲେ । ଚେନ୍ନାଇ ପକ୍ଷରୁ ସାର୍ଦ୍ଦୁଲ, ଦୀପକ, ଇମ୍ରାନ ଓ ବ୍ରାଭୋ 2ଟି ଲେଖାଁଏ ୱିକେଟ୍ ପାଇଥିଲେ । ବିସ୍ଫୋରକ ଇଂନିସ ଯୋଗୁଁ ଧୋନି ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିଲେ ।