ଓଡିଶା

odisha

ETV Bharat / sports

'ଯୁବ ଖେଳାଳିଙ୍କ କଠିନ ପରିଶ୍ରମ ସଫଳତା ଦେଇଛି' - ଦିଲ୍ଲୀ କ୍ୟାପିଟାଲ୍ସ

ଦୀର୍ଘ 6 ବର୍ଷ ପରେ ଆଇପିଏଲରେ ଦିଲ୍ଲୀ ପ୍ଲେ-ଅଫ ଖେଳିବାକୁ ଯାଉଛି । ତେବେ ଦଳର ଏହି ସଫଳତା ପାଇଁ ଟିମକୁ ଶ୍ରେୟ ଦେଇଛନ୍ତି ଅଧିନାୟକ ଶ୍ରେୟସ ଆୟର ।

ଫଟୋ ସୈାଜନ୍ୟ-ସୋସିଆଲ ମିଡିଆ

By

Published : Apr 28, 2019, 8:29 PM IST

ନୂଆଦିଲ୍ଲୀ: ଦୀର୍ଘ 6 ବର୍ଷ ପରେ ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ-ଅଫ ଖେଳିବାକୁ ଯାଉଛି । ତେବେ ଦଳର ଏହି ସଫଳତା ପାଇଁ ଟିମକୁ ଶ୍ରେୟ ଦେଇଛନ୍ତି ଅଧିନାୟକ ଶ୍ରେୟସ ଆୟର । ସେ କହିଛନ୍ତି, ପ୍ରତିଟି ମ୍ୟାଚରେ ଆମେ ଦୁର୍ବଳ ଦଳ ଭାବେ ଖେଳିଛୁ । ହେଲେ କଠିନ ପରିଶ୍ରମ ଆମକୁ ଏହି ସଫଳତା ଦେଇଛି ।

ଚଳିତବର୍ଷ ଆଇପିଏଲ ଆରମ୍ଭରୁ ଦିଲ୍ଲୀ ଡେୟାରଡେଭିଲ୍ସ ନାଁ ବଦଳାଇ ଦିଲ୍ଲୀ କ୍ୟାପିଟାଲ୍ସ ରଖିଥିଲା । ନାଁ ବଦଳିବା ପରେ ଯେମିତି ଭାଗ୍ୟ ବଦଳିଯାଇଛି ଦଳର । ନୂଆ ଜୋଶ୍‌ରେ ପୁରୁଣା ରେକର୍ଡକୁ ଭୁଲି ପ୍ରତି ମ୍ୟାଚରେ ବିଜୟର ଲକ୍ଷ୍ୟ ନେଇ ଲଢୁଆ ପ୍ରଦର୍ଶନ ଜାରି ରଖିଛି ଦଳ ।

ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ-ଅଫ୍‌ ଖେଳିବା ଆଶା ପୂରଣ ହେବାକୁ ଯାଉଛି । 12 ମ୍ୟାଚରୁ 8 ବିଜୟ ସହ 16 ପଏଁଣ୍ଟ ହାସଲ କରିଛି ଦିଲ୍ଲୀ । ଦଳ ଆଉ 2ଟି ମ୍ୟାଚ ଖେଳିବାକୁ ଥିବାବେଳେ 2 ପଏଣ୍ଟର ଆବଶ୍ୟକତା ରହିଛି ପ୍ଲେ-ଅଫରେ ପହଞ୍ଚିବାକୁ । ତେବେ ଆଜି ଆରସିବି ବିପକ୍ଷରେ ମ୍ୟାଚ ଖେଳି ବିଜୟ ହାସଲ କରିଛି ଦିଲ୍ଲୀ ।

'କାମ ସରିନାହିଁ, ଅଧା ବାକି ଅଛି' ବୋଲି କହିଛନ୍ତି ଦିଲ୍ଲୀର ଯୁବ ଅଧିନାୟକ ଶ୍ରେୟାସ ଆୟର । ଦଳର କ୍ରମାଗତ ଭଲ ପ୍ରଦର୍ଶନ ନେଇ ଖୁସି ଜାହିର କରିଛନ୍ତି ଆୟର । ପ୍ରତି ମ୍ୟାଚକୁ ଆମେ କର ବା ମର ମ୍ୟାଚ ଭଳି ଖେଳୁଛୁ । ପ୍ରତି ମ୍ୟାଚ ଆମ ପାଇଁ ଏକ ନୂଆ ଆହ୍ବାନ ଓ ଲକ୍ଷ୍ୟ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆମ ଦଳକୁ କେହି ଗୁରୁତ୍ବ ଦେଉନଥିଲେ । କୋଚ୍‌ ପଣ୍ଟିଂ ଆମକୁ ପ୍ରତି ମ୍ୟାଚ ଖେଳିବା ଆମର ଶେଷ ମ୍ୟାଚ ଭାବି ଖେଳିବାକୁ ପରାମର୍ଶ ଦେଇଥିଲେ । ଯାହାକି ଆମ ପାଇଁ ସହାୟକ ହୋଇଛି ।

ନିଜ ଦଳର ବିଶ୍ବକପ୍‌ କ୍ୟାମ୍ପରେ ଯୋଗ ଦେବା ପାଇଁ ବିଦେଶୀ ଖେଳାଳି ଆଇପିଏଲ ଅଧାରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତେବେ ଏହା ଦଳର ପ୍ରଦର୍ଶନ ଉପରେ କେତେ ପ୍ରଭାବ ପକାଇବ ? ଏହାର ଉତ୍ତରରେ ଆୟର କହିଛନ୍ତି, ତାଙ୍କର ଅନୁପସ୍ଥିତି ଅନୁଭବ ହେବ କିନ୍ତୁ ଭରଣା ପାଇଁ ଆମେ ଚେଷ୍ଟା କରିବୁ ।

ABOUT THE AUTHOR

...view details