ଲାହୋର: ହାର୍ଟ୍ ଆଟାକ୍ର ଶିକାର ହୋଇନାହାନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ-ଉଲ-ହକ୍ । ଏହାକୁ ନେଇ ସେ ଖୋଦ୍ ସ୍ପଷ୍ଟୀକରଣ ଦେଇଛନ୍ତି । ଗତକାଲି(ମଙ୍ଗଳବାର) ଇଞ୍ଜାମାମଙ୍କୁ ହାର୍ଟ ଆଟାକ୍ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇବା ପାଇଁ ହସ୍ପିଟାଲ ଯାଇଥିଲେ । ସେଠାରେ ତାଙ୍କ ଧମନୀରେ ବ୍ଲକେଜ ରହିଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ଏହାପରେ ତାଙ୍କର ଏମର୍ଜେନ୍ସି ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଇଥିଲା ।
ଅଚାନକ ହସ୍ପିଟାଲରେ ଭର୍ତ୍ତି ହେବାପରେ ଇଞ୍ଜାମାମ ହାର୍ଟ ଆଟାକ୍ର ଶିକାର ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଏଭଳି କି ତାଙ୍କ ପରିବାରର ଜଣେ ସଦସ୍ୟ ଏହାକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ । ଇଞ୍ଜାମମଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ନେଇ ପରିବାର ସଦସ୍ୟ ସୂଚନା ଦେଇଥିଲେ । ତେବେ ଛାତିରେ ନୁହେଁ ପେଟରେ ଯନ୍ତ୍ରଣା ପରେ ହସ୍ପିଟାଲକୁ ସ୍ବାସ୍ଥ୍ୟ ଯାଞ୍ଚ କରାଇବାକୁ ଯାଇଥିଲେ ଇଞ୍ଜାମାମ-ଉଲ-ହକ୍ । ଆଜି ଏହାକୁ ନେଇ ନିଜ ୟୁ-ଟ୍ୟୁବ୍ ଚ୍ୟାନେଲ୍ରେ ସ୍ପଷ୍ଟୀକରଣ ଦେଇଛନ୍ତି ଇଞ୍ଜାମାମ ।
ଇଞ୍ଜାମାମ-ଉଲ-ହକ୍ କହିଛନ୍ତି ଯେ, "ମୋ ପାଇଁ ଚିନ୍ତା କରିଥିବାରୁ ମୁଁ ପାକିସ୍ତାନ ଓ ବିଶ୍ବବାସୀଙ୍କୁ ଧନ୍ୟବାଦ ଦେଉଛି । ମୋ ସୁସ୍ଥତା ପାଇଁ ପ୍ରାର୍ଥନା କରିଥିବାରୁ ମୁଁ କୃତଜ୍ଞ ।"