ମୁମ୍ବାଇ: ଅଲିମ୍ପିକ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ହେବ । ଆମେରିକାର ଲସ୍ ଏଞ୍ଜେଲେସ୍ରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବ । ଏନେଇ ପଥ ପରିଷ୍କାର ହୋଇଛି । ଏନେଇ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ କମିଟି ୨୦୨୮ରେ କ୍ରିକେଟକୁ ସାମିଲ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଦେଇଥିବା ପ୍ରସ୍ତାବକୁ ଆଇଓସି ଅନୁମୋଦନ କରିବା ପରେ ଏହା ସ୍ପଷ୍ଟ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଖୁସି ବ୍ୟକ୍ତ କରିଛି । ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ।
ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ପରେ ଆଇଓସି ସଭାପତି ଥମାସ୍ ବାକ୍ କହିଛନ୍ତି, "୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଅଲିମ୍ପିକ୍ସରେ ମୋଟ ୫ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ହେଉଛି ବେସ୍ବଲ୍, ସଫ୍ଟବଲ, ଫ୍ଲାଗ୍ ଫୁଟବଲ୍,ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ । ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏସବୁ କ୍ରୀଡ଼ା ସାମିଲ ହେବା ପରେ ଅଲିମ୍ପିକ୍ସ କ୍ରୀଡ଼ା ଆମେରିକା ସମେତ ବିଶ୍ବର ନୂଆ ଆଥଲେଟ୍ ଓ ପ୍ରସଂଶକଙ୍କ ନିକଟରେ ପହଞ୍ଚିବ ।"