ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ ଜିତି ଲଜ୍ଜ୍ୟା ରଖିଛି ଭାରତୀୟ ମହିଳା ଦଳ । ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ମହିଳା ଦଳ ପ୍ରଥମ ଦୁଇଟି ମ୍ୟାଚ୍ କ୍ରମାଗତ ଭାବେ ଜିତି ଶୃଙ୍ଖଳା ହାତେଇ ନେଇଥିଲା । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ମ୍ୟାଚ୍ରେ ବୋଲରଙ୍କ କମାଲ ଯୋଗୁଁ ଶେଷ ମ୍ୟାଚ୍ ଜିତି ନେଇଛି ଭାରତ । ସ୍ମୃତି ମାନ୍ଧାନାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ବିଫଳ ହୋଇଥିଲେ ମଧ୍ୟ ଛୋଟ ଟାର୍ଗେଟ୍ ଯୋଗୁଁ ଏହି ମ୍ୟାଚ୍କୁ ସହଜରେ ଜିତି ନେଇଛି ଟିମ୍ ଇଣ୍ଡିଆ ।
ଇଂଲଣ୍ଡ ପାଳି: ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା କବ୍ଜା କରିନେଇଥିବା ଇଂଲଣ୍ଡ ଶେଷ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳର କ୍ୟାପ୍ଟେନ୍ ହେଦର ନାଇଟ୍ ସର୍ବାଧିକ ୫୨ ରନର ପାଳି ଖେଳିଥିଲେ । ଏହି ପାଳିରେ ୩ଟି ଲେଖାଏଁ ଛକା ଓ ଚୌକା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଆମି ଜୋନ୍ସ ୨୧ ବଲରୁ ୨୫ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ କରିବାକୁ ସଫଳ ହୋଇନଥିଲେ । ଫଳରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୬ ରନ୍ କରିଥିଲା । ସେପଟେ ଭାରତ ପକ୍ଷରୁ ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ସାଇକା ଇଶେକ୍ ଓ ଶ୍ରେୟଙ୍କା ପାଟିଲ୍ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରି ମ୍ୟାଚ୍କୁ ଭାରତ ଦଖଲରେ ରଖିଥିଲେ । ରେଣୁକା ସିଂହ ଓ ଅମନଜିତ କୌର ୨ଟି ଲେଖାଏଁ ସଫଳତା ପାଇଥିଲେ ।