ମୁମ୍ବାଇ:ପୁଣି ମୈଦାନରେ ଦେଖିବାକୁ ମିଳିବ ଜର୍ସି ନଂ ୧୨ । ଦର୍ଶକଙ୍କ ୟୁଭି ୟୁଭି ଡାକରେ ଫାଟି ପଡିବ ଷ୍ଟାଡିୟମ । ଗୋଟିଏ ଓଭରରେ ୬ଟି ଛକା ଦେଖିବାର ସୁଯୋଗ ପାଇପାରିବେ ଫ୍ୟାନ୍ସ । ଏଭଳି କିଛି ଦୃଶ୍ୟ ଏବେ ସଭି କ୍ରିକେଟପ୍ରେମୀଙ୍କ ଆଖି ଆଗରେ ନାଚି ଉଠିବାରେ ଲାଗିଲାଣି । କାରଣ ପୁଣି କ୍ରିକେଟ ମୈଦାନକୁ କମବ୍ୟାକ୍ କରିବାକୁ ଯାଉଛନ୍ତି ସଭିଙ୍କ ପ୍ରିୟ ତଥା ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ । ସେ ଆସନ୍ତା ୨୦୨୨ ମସିହା ଫେବୃଆରୀ ମାସରେ ପୁଣି ଭାରତ ପାଇଁ କ୍ରିକେଟ ଖେଳିବେ ବୋଲି ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ।
ଏହି ଖବର ପାଇବା ପରେ ସବୁ କ୍ରିକେଟ ପ୍ରେମୀଙ୍କ ଦିଲ୍ର ଧଡ଼କନ ବଢିବାରେ ଲାଗିଛି । ପୁଣି ଷ୍ଟାଡିୟମରେ ଯୁବରାଜଙ୍କ ଧମାକାଦାର ବ୍ୟାଟିଂ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଯୁବରାଜ କ୍ରିକେଟରୁ ଅବସର ନେଇସାରିଥିବା ବେଳେ ପୁଣି ଦେଶ ପାଇଁ ଖେଳିବେ ବୋଲି ଘୋଷଣା କରିଛନ୍ତି । ତେବେ ଏ ସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଭଗବାନ ତୁମର ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ଲୋକଙ୍କ ଡିମାଣ୍ଡ ଅନୁସାରେ ସେ ପୁଣି ଆଉ ଥରେ କ୍ରିକେଟ ମୈଦାନକୁ କମବ୍ୟାକ୍ କରିବାକୁ ଯାଉଛନ୍ତି । ଦେଶବାସୀଙ୍କଠାରୁ ଏହି ଭଲ ପାଇବା ପାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହିଭଳି ଭାବରେ ତାଙ୍କୁ ସମର୍ଥନ କରିବା ସହିତ ଭାରତୀୟ ଟିମକୁ ସମର୍ଥନ କରିବା ପାଇଁ ସେ କହିଛନ୍ତି ।