ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କର କ୍ରେଜ୍ ସାରା ବିଶ୍ବରେ ରହିଛି । ବିଶ୍ବର ଲୋକପ୍ରିୟ ଖେଳାଳୀଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ । ଯେଉଁଥିପାଇଁ କିଙ୍ଗ୍ କୋହଲି ଭାବେ ସେ ବେଶ୍ ପରିଚିତ । ଏହା ସହିତ ରୋଜଗାର ମାମଲାରେ ମଧ୍ୟ କୋହଲି ଏବେ ଅନ୍ୟ ଖେଳାଳୀଙ୍କ ତୁଳନାରେ ବହୁତ ଆଗରେ ରହିଛନ୍ତି । ବର୍ତ୍ତମାନ ସମୟରେ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧ ହଜାର କୋଟି ପାର କରିଛି ।
ଏକ ଜାତୀୟ ସଂସ୍ଥା ଷ୍ଟକ୍ ଗ୍ରୋ' ମୁତାବକ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୦୫୦ କୋଟିରେ ପହଞ୍ଚିଛି । ବିରାଟ କୋହଲିଙ୍କର ଖେଳ ବ୍ୟତୀତ ବିଭିନ୍ନ କମ୍ପାନୀର ବିଜ୍ଞାପନ, ସୋସିଆଲ ମିଡିଆ ପୋଷ୍ଟ ସମେତ ଅନ୍ୟ ଉତ୍ସରୁ ମଧ୍ୟ ରୋଜଗାର ରହିଛି । ବିରାଟ କୋହଲି ବର୍ତ୍ତମାନ ଟିମ୍ ଇଣ୍ଡିଆର 'ଏ' ଗ୍ରେଡ୍ ଖେଳାଳୀ ଭାବେ ଅନୁବନ୍ଧିତ ଅଛନ୍ତି । ଏଥିରୁ ସେ ବାର୍ଷିକ ୭ କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହା ସହିତ ସେ ଗୋଟିଏ ଟେଷ୍ଟ ମ୍ୟାଚ ପାଇଁ ୧୫ ଲକ୍ଷ, ଗୋଟିଏ ଦିନିକିଆ ମ୍ୟାଚ୍ ପାଇଁ ୬ ଲକ୍ଷ ଓ ଗୋଟିଏ ଟି୨୦ ମ୍ୟାଚ୍ ପାଇଁ ୩ ଲକ୍ଷ ଟଙ୍କା ନେଉଛନ୍ତି । ଏହା ସହିତ କୋହଲି ଆଇପିଏଲରେ ଅଧିକ ଟଙ୍କା ରୋଜଗାର କରୁଥିବା ଖେଳାଳୀ ମାନଙ୍କ ସୂଚୀରେ ମଧ୍ୟ ରହିଛନ୍ତି । ସେ ଆଇପିଏଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର ଟିମ୍ ପାଇଁ ଖେଳୁଛନ୍ତି । କୋହଲି ଆଇପିଏଲ୍ର ଗୋଟିଏ ସିଜିନ୍ ଖେଳିବା ପାଇଁ ୧୫ କୋଟି ଟଙ୍କା ନେଉଛନ୍ତି ।