ଲକ୍ଷ୍ନୌ: ଦିନିକିଆ କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ହୃଦୟ ଭାଙ୍ଗିବା ପରେ ଏବେ ଟି୨୦ ବିଶ୍ବକପ୍ ୨୦୨୪ ଉପରେ ନଜର ପକାଇଛି ଟିମ୍ ଇଣ୍ଡିଆ । ଏଥିପାଇଁ ନଭେମ୍ବର ୨୩ରୁ ହିଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରୁ ପ୍ରସ୍ତୁତି ଆରମ୍ଭ କରିବେ ମେନ୍ ଇନ୍ ବ୍ଲ୍ୟୁ । ହେଲେ ବିଶ୍ବକପ୍ ୨୦୨୩ର ସର୍ବଶ୍ରେଷ୍ଠ ଦଳ ଭାରତର ପରାଜୟକୁ ଏବେ ଯାଏଁ ଗ୍ରହଣ କରିପାରିନାହାନ୍ତି କ୍ରିକେଟପ୍ରେମୀ । ସେପଟେ ବିଶ୍ବକପ୍ରେ ଭାରତର ପରାଜୟ ଏବେ କ୍ରିକେଟ୍ ମୈଦାନରୁ ଯାଇ ରାଜନୈତିକ ମୈଦାନରେ ପହଞ୍ଚିଛି । ନିକଟରେ ରାହୁଲ ଗାନ୍ଧୀ ଏନେଇ ଏକ ରାଜନୈତିକ ସଭାରେ ଭାଷଣ ଦେଉଥିବା ଭିଡିଓ ଭାଇରାଲ୍ ହୋଇଥିଲା । ସମାନ ଭାବରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏନେଇ ଆଉ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।
ଉତ୍ତର ପ୍ରଦେଶର ଇଟାୱା ସହରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଥିଲେ, "ଗୁଜୁରାଟରେ ଯେଉଁ ମ୍ୟାଚ୍ ହେଲା, ତାହା ଯଦି ଲକ୍ଷ୍ନୌରେ ହୋଇଥାଆନ୍ତା, ଟିମ୍ ଇଣ୍ଡିଆ ଅନେକଙ୍କର ଆଶୀର୍ବାଦ ପାଇଥାଆନ୍ତା । ଏଠାରେ ମ୍ୟାଚ୍ ଖେଳାଯାଇଥିଲେ ଭାରତୀୟ ଦଳ ଭଗବାନ ବିଷ୍ଣୁ ଓ ଅଟଳବିହାରୀ ବାଜପେୟୀଙ୍କ ଆଶୀର୍ବାଦ ପାଇଥାଆନ୍ତା ଓ ବିଜୟୀ ହୋଇଥାଆନ୍ତା । ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ୍ରେ କିଛି ଅସୁବିଧା ଥିଲା ବୋଲି କୁହାଯାଉଛି । ସେଥିପାଇଁ ଖେଳାଳିମାନଙ୍କ ପ୍ରସ୍ତୁତି ସଠିକ ହୋଇପାରିଲା ନାହିଁ । ତେଣୁ ଅହମ୍ମଦାବାଦ ଅପେକ୍ଷା ଲକ୍ଷ୍ନୌରେ ଖେଳ ଆୟୋଜନ କରାଯାଇଥିଲେ ଅଧିକ ଭଲ ହୋଇଥାଆନ୍ତା ।"