ହାଇଦ୍ରାବାଦ :ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ଆଜି (ରବିବାର) ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯାଉଛି । ଏଥିରେ ଭାରତ ଟସ ଜିତି ଅଧିନାୟିକା ସେଫାଳି ବର୍ମା ପ୍ରଥମେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ ।
ପ୍ରଥମ ଥର ପାଇଁ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ୱମେନ୍ ଇନ୍ ବ୍ଲୁ । ତେବେ ଭାରତ ଏହି ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ମାତ୍ ଦେଇ ଟାଇଟଲ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେଫାଳି ଏଣ୍ଡ କୋ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବୃହତ ବିଜୟ ହାସଲ କରି ଫାଇନାଲ ଟିକଟ ହାତେଇଥିଲା । ତେବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ସେପଟେ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଫାଇନାଲ ମ୍ୟାଚ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଏବଂ BCCI ସଚିବ ଜୟ ଶାହା ଶୁଭକାମନ ଜଣାଇଛନ୍ତି ।
ସେପଟେ ଅଣ୍ଡର ୧୯ ମହିଳା ଅଧିନାୟିକା ସେଫାଳି ବର୍ମା ଗତ କାଲି (ଶନିବାର) ୧୯ ବର୍ଷରେ ପାଦ ଥାପିଛନ୍ତି । ସେ ତାଙ୍କ ଜନ୍ମଦିନ ଅବସରରେ ଟିମ ଇଣ୍ଡିଆକୁ କହିଥିଲେ ଜନ୍ମଦିନର ଉପହାରରେ ତାଙ୍କୁ କେବଳ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଦରକାର । ତେବେ ଫାଇନାଲ ମ୍ୟାଚରେ ବିଜୟ ସହିତ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ସେଫାଳି ଏଣ୍ଡ କୋ । ଭାରତର ବ୍ୟାଟିଂ ଅର୍ଡର ମଜବୁତ ରହିଛି । ଶ୍ବେତା ଶେରାୱତ ଏବଂ ସୌମ୍ୟା ତିୱାରୀ ଏବେ ଦମଦରା ଫର୍ମରେ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଶ୍ବେତା ଶେରାୱତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ କିୱି ଟିମକୁ ୮ ୱିକେଟରେ ପରାସ୍ତ କରିଥିଲା ।
ଚୂଡାନ୍ତ ଏକାଦଶ ଭାରତ -ସେଫାଳି ବର୍ମା (ଅଧିନାୟିକା), ଶ୍ବେତା ଶେରାୱତ, ସୌମ୍ୟା ତିୱାରୀ, ଗଙ୍ଗୋଦୀ ତ୍ରିଶା, ରିଚା ଘୋଷ (ୱିକେଟ କିପର), ହ୍ରିଶିତା ବାସୁ, ତିତାସ ସାଧୁ, ମନ୍ନତ କାଶ୍ୟପ, ଅର୍ଚ୍ଚନା ଦେବୀ, ପାର୍ଶଭି ଚୋପ୍ରା, ସନୋମ ଯାଦବ ।
ଚୂଡାନ୍ତ ଏକାଦଶ ଇଂଲଣ୍ଡ -ଗ୍ରେସ ସ୍କ୍ରିଭେନ୍ସ (ଅଧିନାୟିକା), ଲିବାର୍ଟି ହିପ, ନିଆମ ହୋଲାଣ୍ଡ, ସେରେନ ସ୍ମେଲ (ୱିକେଟ କିପର), ରାୟାନ ମକଡନାଲ୍ଡ, ଚେରିଶ ପାଭଲି, ଆଲେକ୍ସ ଷ୍ଟନହାଉସ, ସୋଫିଆ ସ୍ମେଲ, ଜୋସିଆ ଗ୍ରୋଭେସ, ଏଲି ଆଣ୍ଡରସନ, ହନାହ ବାକେର