ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫି (BGT) ପ୍ରଥମ ମୁକାବିଲାରେ ଭାରତର ଦମଦାର ବିଜୟ । ଗୋଟିଏ ଇନିଂସ ଓ ୧୩୨ ରନରେ କଙ୍ଗାରୁ ଦଳକୁ ପରାସ୍ତ କଲା ଟିମ ଇଣ୍ଡିଆ । ଦୁଇଟି ଯାକ ଇନିଂସ୍ରେ ଭାରତ ପାଇଁ ପ୍ରଭାଶାଳୀ ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହେଲେ ରବିନ୍ଦ୍ର ଜାଡ଼େଜା ।
ନାଗପୁରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରୁ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା କଙ୍ଗାରୁ ଦଳ । ତେବେ ଭାରତୀୟ ବୋଲରଙ୍କ ଆକ୍ରମଣରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୦୦ ରନ ଛୁଇଁବା ପୂର୍ବରୁ ୧୭୭ ରନରେ ଅଲଆଉଟ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆର ମାରନସ ଲାବୁସାନେ ସର୍ବାଧିକ ୪୯ ରନ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ୧୦୭ ବଲରେ ୩୭ ରନ୍ର ଇନିଂସ ଖେଳି ସ୍ପିନର ଜାଡେଜାଙ୍କ ବଲର ଶିକାର ହୋଇଥିଲେ ହୋଇଥିଲେ । ହେଣ୍ଡସ୍କମ ୩୧ ରନ ଓ ଆଲେକ୍ସ କ୍ୟାରୀ ୩୬ ରନ ସଂଗ୍ରହ କରିଥିଲେ । ଏହି ୪ ଜଣ ବ୍ୟାଟରଙ୍କୁ ଛାଡିଦେଲେ କଙ୍ଗାରୁ ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରିବାରେ ସଫଳ ହୋଇ ପାରିନଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ମଧ୍ୟରେ ଜାଡ଼େଜାଙ୍କୁ ସର୍ବାଧିକ ୫ ୱିକେଟ, ଅଶ୍ବିନଙ୍କୁ ୩ ୱିକେଟ ଓ ଦୃତ ବୋଲର ସାମି ଓ ସିରାଜଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଏହାପରେ ଭାରତ ସେହିଦିନ ପ୍ରଥମ ଇନିଂସ ପାଳି ଆରମ୍ଭ କରି ୨୪ ଓଭର ଖେଳି ୭୭ ରନ କରିଥିଲା ।