ଫ୍ଲୋରିଡା:ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-ଟେଣ୍ଟିକୁ ଜିତି ନେଇଛି ଭାରତ । 59 ରନରେ ମ୍ୟାଚକୁ ଜିତିବା ସହ 3-1ରେ ଆଗୁଆ ସିରିଜ କବଜା କରି ନେଇଛି ଟିମ ଇଣ୍ଡିଆ । ଦଳଗତ ପ୍ରଦର୍ଶନ ସହ ଅର୍ଶଦୀପ ସିଂହଙ୍କ 3 ୱିକେଟ ଏବଂ ଅଭେଶ ଖାନ, ରବି ବିଷ୍ଣୋଇ, ଅକ୍ଷର ପଟେଲଙ୍କ 2ଟି ଲେଖାଏଁ ୱିକେଟ ଦଳ ପାଇଁ ବିଜୟ ସହଜ ହୋଇଥିଲା । ଅଭେଶ ଖାନ ମାତ୍ର 14 ରନ ଦେଇ 2 ୱିକେଟ ନେଇଥିଲେ । ତେଣୁ ସେ ପ୍ଲେୟାର ଅଫ ମ୍ୟାଚ ବିବେଚିତ ହୋଇଥିଲେ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ 3-1ରେ ଶୃଙ୍ଖଳା ଜିତି ନେଇଛି । ଆଜି (ରବିବାର) ପଞ୍ଚମ ତଥା ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ ।
ୱେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିଥିଲା । ପ୍ରଥମରୁ ବିସ୍ଫୋରକ ଆରମ୍ଭ କରିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୬ ବଲରୁ ୩୩ ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ଉପ ଅଧିନାୟକ ଋଷଭ ପନ୍ତ ୩୧ ବଲରୁ ୪୪ କରି ଫେରିଥିବା ବେଳେ ସଞ୍ଜୁ ସାମସନ ୨୩ ବଲରୁ ୩୦ ରନ କରି ନଟ ଆଉଟ ରହିଥିଲେ । ସୂର୍ଯ୍ୟକୁମାର ଯାଦବ 14 ବଲରୁ 2ଟି ଛକା ଓ 2ଟି ଚୌକା ସହ 24 ରନ କରିଥିଲେ । ଅକ୍ଷର ପଟେଲ 8ଟି ବଲରୁ 2ଟି ଛକା ଓ ଗୋଟିଏ ଚୌକା ସହ 20 ରନ କରି ଅପରାଜିତ ରହିଥିଲେ । ଇଣ୍ଡିଜକୁ 192 ରନ ଟାର୍ଗେଟ ଦେଇଥିଲା ଭାରତ । ଇଣ୍ଡିଜ ପକ୍ଷରୁ ଓବେଡ ମ୍ୟାକକୟ ୬୬ ରନ ଦେଇ ଓ ଆଲଜାରି ଜୋସେଫ ୨୯ ରନ ଦେଇ 2ଟି ଲେଖାଏଁ ୱିକେଟ ନେଇଥିଲେ ।